ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । କର୍ଫ୍ୟୁ ଓ କଟକଣା ଭିତରେ ଗଡିବ ଶ୍ରୀଜିଉଙ୍କ ରଥ, ହେଲେ ଭକ୍ତଙ୍କୁ ବଡଦାଣ୍ଡ ମନା । ଟିଭିରେ ଘୋଷଯାତ୍ରା ଦେଖିବେ କୋଟି କୋଟି ଶ୍ରଦ୍ଧାଳୁ

228

କନକ ବ୍ୟୁରୋ: ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା । ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ରଥ, ପଥ ଆଉ ଜଗନ୍ନାଥ , ସମସ୍ତେ ପ୍ରସ୍ତୁତ । ୯ ଦିନର ଯାତ୍ରାରେ ବିଶ୍ୱ ନିଅନ୍ତା କାଳିଆ ଠାକୁର । ସାଙ୍ଗରେ ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା । ବିନା ଭକ୍ତରେ ଏବଂ କଟକଣା ଭିତରେ ଏଥର ହେଉଛି ମହାପ୍ରଭୁଙ୍କ ରଥଯାତ୍ରା ।

ଠିକ୍ ବର୍ଷକ ପରେ ଲୀଳାମୟ ଠାକୁରଙ୍କ ଲୀଳା ଦେଖିବ ସାରା ବିଶ୍ୱ । ସେ ଭାବର ଠାକୁର, ହେଲେ ଏଥର ସାକ୍ଷୀ ରହିବେନି ଭକ୍ତ । ବଡଦାଣ୍ଡରେ ରଥଯାତ୍ରାରେ ଯିବା ବେଳେ ଆଉ କାଳିଆକୁ ଚାହିଁବେନି ଲକ୍ଷ ଲକ୍ଷ ଭକ୍ତ । କାରଣ, ଭକ୍ତଙ୍କୁ ବଡଦାଣ୍ଡ ମନା । ଟିଭି ପରଦାରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଚଳଚଂଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ମନ୍ଦିର ଭିତରେ ନୀତିକାନ୍ତି ଚାଲିଛି । ଆଉ ବାହାରେ ପ୍ରସ୍ତୁତି । ରଥକୁ ଓହ୍ଲାଇଆସିବେ ଚତୁର୍ଧାମୂରତି ।

ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରି ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗ ନିଷ୍ପତି ନେଇଛି । କୋଭିଡ କଟକଣା ଅନୁସାରେ ମାସ୍କ ପିନ୍ଧିବା, ଏବଂ ସାମାଜିକ ଦୂରତା ରକ୍ଷା କରାଯିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ପ୍ରତି ରଥ ଉପରେ ମାତ୍ର ୧୦ ଜଣ ସେବାୟତ ରହିବେ ଏବଂ ଅନ୍ୟମାନେ ରଥ ତଳେ ରହିବେ । ଏହା ସହ ପ୍ରତି ରଥକୁ ସର୍ବାଧିକ ୫ଶହ ଜଣ ବ୍ୟକ୍ତି ଟାଣି ପାରିବେ ଏବଂ ରଥଯାତ୍ରାରେ ସାମିଲ ହେଉଥିବା ସମସ୍ତ ବ୍ୟକ୍ତି କୋଭିଡ୍ ନେଗେଟିଭ୍ ହେବା ଜରୁରୀ । ପୂର୍ବରୁ ପ୍ରାୟ ୭୫ ପ୍ରତିଶତ ବ୍ୟକ୍ତିଙ୍କ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ଗତକାଲି ରାତିରେ ହିଁ ଅନ୍ୟମାନଙ୍କ ପରୀକ୍ଷା ହୋଇଛି । ତେବେ ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ କୌଣସି ଭକ୍ତ ବଡଦାଣ୍ଡକୁ ଆସିପାରିବେ ନାହିଁ ଏବଂ ସେନେଇ ପଦକ୍ଷେପ ନିଆଯିବ । ଏଥର ରଥଯାତ୍ରା ସୁଚାରୁ ରୂପେ ଆୟୋଜିତ ହେବ ବୋଲି ଆଶା ରଖିଛି ମନ୍ଦିର ପରିଚାଳନା କମିଟି ।