ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା: ନୂଆପାଟଣାରୁ ଶ୍ରୀକ୍ଷେତ୍ର ଗଲା ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ
କନକ ବ୍ୟୁରୋ: ଗୁଣ୍ଡିଚା ଯାତ୍ରା ପାଇଁ ଲୋଡ଼ା ପଡ଼େ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ଓ ତାରାବଳୀ ପାଟ। କଟକ ଜିଲ୍ଲା ତିଗିରିଆ ବ୍ଲକ୍ ଅନ୍ତର୍ଗତ ନୂଆପାଟଣାରେ କାରିଗରଙ୍କ ଶେଷ ସ୍ପର୍ଶ ପାଇ ଏହି ପାଟ ଏବେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚି ସାରିଛି। ନୂଆପଟଣା ପଞ୍ଚାୟତ ସାନସାହିର ବୁଣାକାର ବିଶ୍ୱନାଥ ଗୁଇଁ (୬୦)ଙ୍କ ପରିବାର ବାପା ଜେଜେ ବାପା ଅମଳରୁ ନିଷ୍ଠାର ସହ ହବିଷ୍ୟାନ୍ନ ଭକ୍ଷଣ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ଏହା ପ୍ରସ୍ତୁତ କରନ୍ତି। ପୂର୍ବରୁ ଏହି ପାଟ ଶ୍ରୀମନ୍ଦିର ପ୍ରଶାସନକୁ ସିଧାସଳଖ ହସ୍ତାନ୍ତର କରାଯାଉଥିଲା। ଏବେ କିନ୍ତୁ ସରକାରୀ ସଂସ୍ଥା ସେରିଫେଡ ଓ ବୟନିକା ମାଧ୍ୟମରେ ଏହା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପହଞ୍ଚୁଥିବା ବିଶ୍ବନାଥ ସୂଚନା ଦେଇଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରକାଶଥାଉ କି, ବିଶ୍ବନାଥ ଗୁଇଁଙ୍କ ପରିବାର ୫୦ ବର୍ଷରୁ ଅଧିକ ସମୟ ଧରି ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଏହି ସେବା ସମ୍ପାଦନ କରୁଛନ୍ତି। ପୂର୍ବରୁ ତାଙ୍କ ବଡ଼ଜେଜେ କାଳନ୍ଦୀ ପଟୁଆଳ, ଜେଜେ ଗୋପୀନାଥ ଗୁଇଁ ଓ ବାପା ସୁଦାମ ଗୁଇଁ ଏହି କାର୍ଯ୍ୟ କରୁଥିଲେ। ୧୯୭୭ ମସିହାରେ ବାପାଙ୍କୁ କାମରେ ସାହାଯ୍ୟ କରୁକରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ବିଶ୍ବନାଥ ଏହି କାର୍ଯ୍ୟ ଶିଖିଥିଲେ। ୧୯୯୬ ମସିହାରୁ ସେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ସେବା ଯୋଗାଇ ଆସୁଛନ୍ତି। କେବଳ ଗୁଣ୍ଡିଚା ଯାତ୍ରା ପାଇଁ ଆବଶ୍ୟକ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ନୁହେଁ; ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସ୍ନାନପୁର୍ଣିମା, ଖଳିଲାଗି ଏକାଦଶୀ, ବାହୁଡ଼ା, ସୁନାବେଶ, ନୀଳାଦ୍ରି ବିଜେ, ସପ୍ତାହର ସାତଦିନ ପାଇଁ ଆବଶ୍ୟକ ସାତଟି ରଙ୍ଗର ପାଟ ମଧ୍ୟ ବିଶ୍ବନାଥ ନିଜ ଘରେ ପ୍ରସ୍ତୁତ କରୁଥିବା କହିଛନ୍ତି।
ସୋମବାର ଧଳା ରଙ୍ଗର ପାଟ ସହ କଳା ଛିଟ, ମଙ୍ଗଳବାର ବାର ପାଟିଆ, ବୁଧବାର ଶାଗୁଆ, ଗୁରୁବାର ହଳଦିଆ, ଶୁକ୍ରବାର ଧଳା ପାଟରେ ଲାଲ ରଙ୍ଗର କୁମ୍ଭ, ଶନିବାର କଳା କିମ୍ବା ନୀଳ ଓ ରବିବାର ଲାଲ ରଙ୍ଗର ପାଟ ମହାପ୍ରଭୁ ପିନ୍ଧୁଥିବା ସେ କୁହନ୍ତି। ଏହା ବ୍ୟତୀତ ମହାପ୍ରଭୁଙ୍କ ପହୁଡ଼ ନୀତି ପାଇଁ ପ୍ରତ୍ୟହ ରାତିରେ ଆବଶ୍ୟକ ହେଉଥିବା ଗୀତଗୋବିନ୍ଦ ଖଣ୍ଡୁଆ, ମହାପ୍ରଭୁ ଦେବ ଦୀପାବଳିରୁ ତିନିଦିନ ବ୍ୟାପୀ ପିନ୍ଧୁଥିବା ନାଗପୁରୀ ପାଟ, ମାର୍ଗଶିର ମାସ ପ୍ରାବରଣ ଷଷ୍ଠୀ ତିଥିରେ ପିନ୍ଧୁଥିବା ଓଢ଼ଣୀ ଷଷ୍ଠୀ ପାଟ ବା ଶୀତ ବସ୍ତ୍ର ମଧ୍ୟ ସେ ପ୍ରସ୍ତୁତ କରନ୍ତି। ପୂର୍ବରୁ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ଓ ଅନ୍ୟ ପାଟ ଶ୍ରୀମନ୍ଦିର ପ୍ରଶାସନକୁ ସେ ଦେଉଥିଲେ। ଏବେ ବର୍ଷତମାମ ମାନସିକଧାରୀମାନେ ମନସ୍କାମନା ପୂରଣ ପରେ ମହାପ୍ରଭୁଙ୍କୁ ଦେବା ପାଇଁ ବିଭିନ୍ନ ପାଟ ଶ୍ରୀ ଗୁଇଁଙ୍କ ନିକଟରୁ ନେଇଥା’ନ୍ତି। ଏହି କାର୍ଯ୍ୟରେ ପତ୍ନୀ ଛାୟା ଗୁଇଁ, ଭଣଜା ସମୀର ରଞ୍ଜନ ଗୁଇଁ ତାଙ୍କୁ ସାହାଯ୍ୟ କରୁଥିବା ବିଶ୍ବନାଥ କହିଛନ୍ତି।