କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଏହି ମର୍ମରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡିଥିବା ଶ୍ରୀବିଗ୍ରହ ଏବେ ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି । ଏବଂ ସୁସ୍ଥ ମହାପ୍ରଭୁଙ୍କଠାରେ ଘଣାଲାଗି ହେବା ପରେ ଅନୁଷ୍ଠିତ ହେବ ବନକଲାଗି ନୀତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ପାଇଁ ଲାଗି ହେବ ଦିବ୍ୟ ପ୍ରଲେପ ବା ଖଳି ପ୍ରସାଦ । ଏହା ପରେ ଶ୍ରୀଜୀଉଙ୍କ ଶୃଙ୍ଗାର କରାଯାଇ ବନକନୀତି ହେବ ।
ଆସନ୍ତାକାଲି ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ । ସ୍ନାନବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ି ମହାପ୍ରଭୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ । ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି । ଚକାବିଜେ ପରେ ଶୋଇ ରହିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଉଠି ବସିଛନ୍ତି । କିନ୍ତୁ ବହୁଦିନ ଧରି ଜ୍ୱରରେ ପଡ଼ିବା ପରେ ଦୁର୍ବଳ ଅନୁଭବ କରୁଛନ୍ତି ମହାପ୍ରଭୁ । ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ତଥା ମହାପ୍ରଭୁଙ୍କୁ ନବଯୌବନ ଆଣିଦେବା ପାଇଁ ଶ୍ରୀମନ୍ଦିରକୁ ଖଳି ପ୍ରସାଦ (ଦିବ୍ୟ ପ୍ରଲେପ) ବିଜେ କରାଯାଇଛି ।
ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଖଳିପ୍ରସାଦ ବିଜେ ନୀତି ସଂପନ୍ନ ହୋଇଛି । ପରମ୍ପରା ମୁତାବକ, ଗତକାଲି ନିଶାର୍ଦ୍ଧ ରାତିରେ ଶ୍ରୀମନ୍ଦିରରେ ଘନ ଅନ୍ଧକାର ଭିତରେ ବିରୂପ ବିସର୍ଜନ କରାଯାଇ ଏହାକୁ ଜଳସମାଧି ଦିଆଯାଇଥିଲା । ଘନ ଅନ୍ଧକାର ଭିତରେ ଶ୍ରୀମନ୍ଦିରରେ ଶୋଧ କାର୍ୟ୍ୟ ସଂପନ୍ନ ହୋଇଥିଲା । ତ୍ରୟୋଦଶୀ ତିଥିରେ ଖଳି ପ୍ରସାଦ ଶ୍ରୀମନ୍ଦିର ବିଜେ କରିବାର ପରମ୍ପରା ରହିଛି । ଏଥିପାଇଁ ଗତକାଲି ସଂଧ୍ୟା ଧୂପ ପରେ ଖଳି ପ୍ରସାଦ ପ୍ରସ୍ତୁତ ପାଇଁ ବିମଳାଙ୍କ କୂଅରୁ ଜଳ ଆସିଥିଲା ।
/kanak/media/post_attachments/wp-content/uploads/2019/06/jagannath-300x194.jpg)
ଶୁଦ୍ଧ ସୁଆରମାନେ ଏହି ଜଳରେ ତିନି ଠାକୁରଙ୍କ ପାଇଁ ଖଳି ପ୍ରସାଦ ପ୍ରସ୍ତୁତ କରିଥିଲେ । ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ସୁଆର ସେବକ ରାମଚନ୍ଦ୍ର ସୁଆର, ବଳଭଦ୍ରଙ୍କ ମୁଖ୍ୟ ସୁଆର ସେବକ ଲୋକନାଥ ସୁଆର ଓ ମା ସୁଭଦ୍ରାଙ୍କ ମୁଖ୍ୟ ସୁଆର ସେବକ ଶ୍ରୀଧର ସୁଆର ନିଜ ନିଜ ଘରେ ଏହି ଦିବ୍ୟ ପ୍ରଲେପ ପ୍ରସ୍ତୁତ କରିଥିଲେ । ଏହି ଦିବ୍ୟ ପ୍ରଲେପ ମହାପ୍ରଭୁଙ୍କ ଦେହରେ ଲାଗି ହେବା ପରେ ଏହା ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର କରିଥାଏ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶୁଦ୍ଧ ସୁଆର ସେବକମାନେ ଏ ସଂପର୍କରେ କାହାରି ଆଗରେ କିଛି ପ୍ରକାଶ କରିନଥାନ୍ତି ।