ତିନିଠାକୁରଙ୍କ ପହଣ୍ଡି ପରେ କାହିଁକି କରାଯାଇଥାଏ ଛେରା ପହଁରା ସେବା ? ଜାଣନ୍ତୁ ମହାବାହୁଙ୍କ ଘୋଷଯାତ୍ରାର ଏହି ଦୁର୍ଲଭ ନୀତି ସଂପର୍କରେ…
ଶ୍ରୀଜିଉଙ୍କ ଏହି ସ୍ୱତନ୍ତ୍ର ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ଏବଂ ଦେବସ୍ନାନ ମଣ୍ଡପରେ ଲକ୍ଷାଧିକ ଭକ୍ତଙ୍କର ଜନ ସମାଗମ ହୋଇଥାଏ । ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ରହିଥାଏ । ତିନି ରଥ ଉପରେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ ହେବାପରେ ମୁଖ୍ୟ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ, ଲାଗି ହୋଇଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ମନ୍ଦିର ପୁଲିସ ଏବଂ ସରକାରୀ ପୁଲିସ ଶ୍ରୀନଅରକୁ ଯାଇ ବିଧିବଦ୍ଧ ଭାବେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାନ୍ତି । ଶ୍ରୀନଅରରେ ଖବର ପଂହଚିବା ପରେ ଗଜପତି ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥାନ୍ତି ।
ଛେରା ପହଁରା ନୀତି ସରିବା ଯାଏଁ ଗଜପତି ମହାରାଜା ଉପବାସ ରହିବା ସଂଗେ ସଂଗେ ଶ୍ରୀନଅର ଅଗଣାରେ ରଖାଯାଇଥିବା କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦନ୍ତ ଓ ରୈାପ୍ୟ ନିର୍ମିତ ତାମଯାନରେ ବିଜେ କରିଥାନ୍ତି । ଶ୍ରୀନଅରରୁ ବିଜେ କରିବା ସମୟରେ ବେହେରା ଖୁଂଟିଆ ଆଗରେ ରହିଥାନ୍ତି , କାହାଳୀ ଓ ବଜନ୍ତରୀ ବାଦ୍ୟର ତାଳେତାଳେ ପଟୁଆର ଶୋଭାଯାତ୍ରାରେ ଗଜପତି ରଥ ଆଡକୁ ଆସୁଥିବା ବେଳେ ବଡଦାଣ୍ଡରେ ଅସଂଖ୍ୟ ଭକ୍ତ ହରିବୋଲ ଓ ହୁଳୁହୁଳି ଦେଇ ଠାକୁରମାନଙ୍କର ଜୟଜୟକାର କରିଥାନ୍ତି ।
ସର୍ବପ୍ରଥମେ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଯାନ ରହେ , ଏବଂ ତାପରେ ଗଜପତି ମହାରାଜ ଉକ୍ତ ରଥ ଉପରକୁ ଉଠିଥାନ୍ତି । ତାଙ୍କ ସାଙ୍ଗରେ ରାଜପରିବାରର ସଦସ୍ୟ ରାଜଗୁରୁ, ଲେଙ୍କା, ବେହେରା ଖୁଂଟିଆ, ଗରାବଡୁ ଓ ଦେଉଳକରଣ ଆଦି ସେବକ ମଧ୍ୟ ରହିଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା କରିଥାନ୍ତି । ରାଜଗୁରି ମୁଦୁଲି ସେବକଙ୍କ ଠାରୁ ସୁନା ଖଡିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି । ଏହି କ୍ରମରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଓ ଦେବୀ ସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ନୀତି ସଂପନ୍ନ ହୋଇଥାଏ । ଛେରା ପହଁରା ସରିବା ପରେ ଗଜପତି ମହାରାଜା ତାମଯାନରେ ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି ।