କନକ ବ୍ୟୁରୋ: ରଥ କହୁଛି ଆଉ ପ୍ରତୀକ୍ଷା କରି ହେଉନି। ପଥ କହୁଛି ପ୍ରଭୁଙ୍କ ବାଟ ଚାହିଁଚାହିଁ ମନ ଆଉ ସମ୍ଭାଳୁନି। ଜଗତର ନାଥ ଜଗନ୍ନାଥ ଚକା ଆଖିରେ ଭକ୍ତଙ୍କୁ ଦେଖିବେ ବୋଲି ଆତୁର ହେଲେଣି। ସେବାୟତଙ୍କୁ ସାଙ୍ଗ କରି ରଥରେ ଆସିବେ ବୋଲି ପ୍ରସ୍ତୁତ ହେଲେଣି। ନେତ ବନ୍ଧା ସରିଲାଣି। ଟାହିଆ ସଜେଇ ରଖାଗଲାଣି। ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହୋଇଯିବ ଶ୍ରୀଜିଉଙ୍କ ମହାମାନବୀୟ ଲୀଳା। ମାଉସୀ ଘରକୁ ବୁଲିଯିବେ ବୋଲି ଗୋଡ଼ ଟେକି ବସିଥିବା କଳାଠାକୁର ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ପହଞ୍ଚିଯିବେ ଗୁଣ୍ଡିଚା ବାଡ଼ି। ଚାଲିବ ୯ଦିନର ଯାତ୍ରା। ଅନ୍ତତଃ ରଥଯାତ୍ରା ଦିନ ବର୍ଷାର ସମ୍ଭାବନା ଏତେଟା ନଥିବାରୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଖିରେ ଆଖିରେ ଭାବ ବିନିମୟ ଚାଲିବ। ରାଜଧାନୀରେ ବି ୬୦ରୁ ଅଧିକ ସ୍ଥାନରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।
ଇସ୍କନ: ୧୧ଟାରେ ପହଣ୍ତି, ୩ଟା ପରେ ରଥଟଣା
ଇସ୍କନରେ ସକାଳ ସାଢ଼େ ୮ଟାରେ ରଥ ପ୍ରତିଷ୍ଠା ପରେ ୧୧ଟାରେ ପହଣ୍ତି ଏବ˚ ଦିନ ୨ଟାରେ ଛେରାପହଁରା କରାଯିବ। ଅପରାହ୍ଣ ୩ଟାରେ ରଥଟଣା ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ୟୁନିଟ୍ ୮ ଡିଏଭି ନିକଟସ୍ଥ ଗୁଣ୍ତିଚା ମନ୍ଦିରରେ ପହଞ୍ଚିବ । ରଥ ଇସ୍କନରୁ ବାହାରି ସିଆରପି ଛକ ଦେଇ ଷ୍ଟୁଆର୍ଟ ସ୍କୁଲ୍-ୟୁନିଟ୍ ୮ ଡିଏଭି ସ୍କୁଲ୍ ଦେଇ ଗୁଣ୍ଡିଚା ବାଡ଼ିରେ ପହଞ୍ଚିବ। ପ୍ରାୟ ୨୦୦ ପୁଲିସ୍ ଆଇନଶୃଙ୍ଖଳା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ନଜର ରଖିବେ। ବର୍ଷା ଯୋଗୁ ପାଣି ଜମିଲେ ନିଷ୍କାସନ ପାଇଁ ୨ଟି ବଡ଼ ପମ୍ପ ଲଗାଇବାର ବନ୍ଦୋବସ୍ତ ହୋଇଛି।
ଜାଗମରା ଧର୍ମବିହାର
ଜାଗମରାସ୍ଥିତ ଧର୍ମବିହାର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ । ୮ଟା ୪୫ରେ ରଥ ପ୍ରତିଷ୍ଠା, ୧୦ଟାରେ ପହଣ୍ଡି, ଦିନ ୧ଟାରେ ରାଜାଙ୍କୁ ନିମନ୍ତ୍ରଣ, ୨ଟାରେ ଛେରାପହଁରା ଏବଂ ୩ଟାରେ ରଥଟଣା ଆରମ୍ଭ ହେବ। ପ୍ରଭୁଙ୍କୁ ଜ୍ବର ହେବା ପରେ କବିରାଜ ଜଗନ୍ନାଥ ପଟ୍ଟନାୟକ ପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ମୋଦକ ଓ ତେଲ ଯୋଗାଇ ଦେଇଥିବା ବେଳେ ଜାଗମରାର ବିଜୟ ଲେଙ୍କା ଟାହିଆ ପ୍ରସ୍ତୁତ କରିଛନ୍ତି।
‘ଆରସିଏମ୍’
ନାଲକୋ ନିକଟସ୍ଥ ଆରସିଏମ୍ କଲେଜର ଶ୍ରୀଜଗନ୍ନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏବେ ଆରସିଏମ୍ ମନ୍ଦିରରେ ପ୍ରତିଷ୍ଠିତ ପ୍ରଭୁ ନିକଟସ୍ଥ ଏକ ଆଦିବାସୀ ବସ୍ତିରେ ପୂଜା ପାଉଥିଲେ। ସୂଚନାଯୋଗ୍ୟ ପ୍ରଭୁ ମୂଳତଃ ଶବର ପୂଜିତ ଦେବତା। ସମ୍ପୃକ୍ତ ବସ୍ତିବାସିନ୍ଦା ଏଠାରେ ଏକ ଦିବ୍ୟ ମନ୍ଦିର ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିବା କଥା ଶୁଣି ଆରସିଏମ୍ କଲେଜର ମୁଖ୍ୟ ପ୍ରବୀର ପାଲ୍ ଆଗେଇ ଆସିଥିଲେ। ଅନେକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ ମନ୍ଦିର ପ୍ରତିଷ୍ଠା ହେଲା। ଚଳିତ ବର୍ଷ ମଧ୍ୟ ଏଠାରେ ରଥଯାତ୍ରା ଶତାଧିକ ଆଦିବାସୀଙ୍କ ଚିତ୍ତାକର୍ଷକ ‘ଢେମସା’ ନୃତ୍ୟ ମେଳରେ ପ୍ରଭୁ ରଥରେ ଯାତ୍ରା କରିବେ। ସୁଭଦ୍ରା ମା’ଙ୍କ ରଥକୁ କେବଳ ମହିଳାମାନେ ଟାଣିବେ।
ପୁରୁଣା ଭୁବନେଶ୍ୱର
ପୁରୁଣା ଭୁବନେଶ୍ୱରରେ ୩ଟି ସ୍ଥାନରେ ଗଡ଼ିବ ପିଲାଙ୍କ ରଥ। ଶ୍ରୀଜଗନ୍ନାଥ ରଥଯାତ୍ରା କମିଟି, ଯମେଶ୍ୱର ପାଟଣା ସାହିରେ କୁନି ପିଲାମାନେ ରଥରେ ମହାପ୍ରଭୁଙ୍କୁ ମାଉସୀଘର ଯାଏଁ ଟାଣିନେବେ। ୫ଟାରେ ରଥ ଟଣା ହେବ। ରଥ ଯମେଶ୍ବର ପାଟଣାରୁ ତିନିମୁଣ୍ଡିଆ ଛକ, ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ପରିଭ୍ରମଣ କରି ଗଙ୍ଗା ଯମୁନା ମନ୍ଦିର ନିକଟକୁ ଯିବ। ସାଇଶ୍ରୀ କ୍ଲବ୍ ପକ୍ଷରୁ ଭୀମଟାଙ୍ଗି ତଳ ଫେଜ୍ ମଙ୍ଗଳା ମନ୍ଦିର ପାଖରେ ମହିଳା ଓ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ରଥ ଅପରାହ୍ଣ ସାଢ଼େ ୪ଟାରେ ରଥ ଟଣା ହେବ।
ଶ୍ରୀବାଣୀ କ୍ଷେତ୍ର
କିଟସ୍ଥିତ ଶ୍ରୀବାଣୀ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର, ପଟିଆ ଚନ୍ଦନ କ୍ଷେତ୍ର ବଳଦେବ ଜିଉ ଶ୍ରୀମନ୍ଦିର ଏବଂ ଶୈଳଶ୍ରୀ ବିହାର ଶ୍ରୀଜଗନ୍ନାଥ ମନ୍ଦିରରେ ନିର୍ଧାରିତ ରୀତିନୀତି ମୁତାବକ ରଥଯାତ୍ରା ସମ୍ପନ୍ନ ହେବ। ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ସକାଳ ୯ଟାରେ ରଥ ପ୍ରତିଷ୍ଠା, ୧୦ଟା ୩୦ରେ ପହଣ୍ଡି, ୩ଟାରୁ ୪ଟା ମଧ୍ୟରେ ଛେରାପହଁରା ଏବଂ ଅପରାହ୍ଣ ୪ଟା ୩୦ରେ ରଥଟଣା ହେବ। ସେହିଭଳି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ଼ କଲୋନି ଶ୍ରୀଜଗନ୍ନାଥ ମନ୍ଦିର, ଭିଏସ୍ଏସ୍ ନଗର ଜଗନ୍ନାଥ ମନ୍ଦିର, ଗାଡ଼କଣ, ରଙ୍ଗମାଟିଆ, କଳାଝରୀ ଓ ମଞ୍ଚେଶ୍ବରରେ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/fb899487b6413bc519178f83dd975cf1.jpg)
/kanak/media/post_attachments/wp-content/uploads/2019/07/Iskon-mandir-re-3-ratha04-1-300x175.jpg)
/kanak/media/post_attachments/wp-content/uploads/2019/07/Screenshot_20180722-223429-300x169.png)
/kanak/media/post_attachments/wp-content/uploads/2019/07/IMG-20180714-WA0086-300x169.jpg)
/kanak/media/post_attachments/wp-content/uploads/2019/07/Lord_Jagannath-300x225.jpg)
/kanak/media/post_attachments/wp-content/uploads/2019/07/jagannath.jpg-f-300x204.jpg)