ଇତିହାସ ମତରେ, ନବମ ଶତାବ୍ଦୀରୁ ଆରମ୍ଭ ହୋଇଛି ଏହି ଆଜ୍ଞାମାଳ ପରମ୍ପରା । ବିଶିଷ୍ଟ ଗବେଷକ ଓ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ‘ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥ’ରେ ଲେଖିଛନ୍ତି- ଗୋଟିଏ ସମୟରେ କଳିଙ୍ଗ ଏକ ବିରାଟ ସାମ୍ରାଜ୍ୟ ଥିଲା ଏବଂ ଅନେକ ଛୋଟ ଛୋଟ ରାଜ୍ୟ ଏହାର ଅଧୀନରେ ରହିଥିଲା । ଶ୍ରୀଜଗନ୍ନାଥ ହିଁ ଥିଲେ କଳିଙ୍ଗର ‘ରାଷ୍ଟ୍ରଦେବତା’ । ସେ ହିଁ ଥିଲେ ‘ସମ୍ରାଟ’ ଏବଂ ସେହି ଛୋଟଛୋଟ ରାଜ୍ୟର ରାଜାମାନେ ‘ତାଙ୍କର’ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରୁଥିଲେ । ସେଥିପାଇଁ ସେମାନେ ‘ସମ୍ରାଟ ଶ୍ରୀଜଗନ୍ନାଥ’ଙ୍କଠାରୁ ଆଜ୍ଞାମାଳ ପାଉଥିଲେ । ତାହାହିଁ ଥିଲା ଶ୍ରୀମନ୍ଦିରରେ ‘ଆଜ୍ଞାମାଳ ପରମ୍ପରା’ର ଅୟମାରମ୍ଭ ।
କିନ୍ତୁ ପୁରାଣମତ ଏହାଠାରୁ ସଂପୂର୍ଣ୍ଣ ଭିନ୍ନ । ‘ସ୍କନ୍ଦପୁରାଣ’ ମତରେ, ଆଜ୍ଞାମାଳ ପରମ୍ପରାର ଆରମ୍ଭ ସତ୍ୟଯୁଗରୁ । ସତ୍ୟଯୁଗରେ ଇନ୍ଦ୍ରଦ୍ୟୁମ୍ନ ଥିଲେ ଅବନ୍ତୀର ରାଜା । ଓଡ଼୍ରଦେଶରେ ଗୁପ୍ତ ଭାବରେ ଶ୍ରୀନୀଳମାଧବ ପୂଜା ପାଉଥିବା ଜାଣି, ସେ ନିଜର ରାଜପୁରୋହିତ ବିଦ୍ୟାପତିଙ୍କୁ ତାଙ୍କର ସନ୍ଧାନପାଇଁ ପଠାଇଥିଲେ । ବିଦ୍ୟାପତି ଶ୍ରୀନୀଳମାଧବଙ୍କ ସନ୍ଧାନରେ ଆସି ଶବରରାଜ ବିଶ୍ୱାବସୁ ଗୁପ୍ତରେ ତାଙ୍କୁ ପୂଜା କରୁଥିବା କଥା ଜାଣିବାକୁ ପାଇଥିଲେ । ବିଶ୍ୱାବସୁଙ୍କୁ ଭେଟି, ତାଙ୍କର ସହଯୋଗରେ ସେ ଶ୍ରୀନୀଳମାଧବଙ୍କର ଦର୍ଶନ ମଧ୍ୟ ପାଇଥିଲେ । ସେହି ସମୟରେ ଶ୍ରୀନୀଳମାଧବ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିମନ୍ତେ ତାଙ୍କୁ ଗୋଟିଏ ମାଳା ପ୍ରଦାନ କରିଥିଲେ । ବିଦ୍ୟାପତି ଅବନ୍ତୀ ଫେରିଯାଇ ସେହି ଦିବ୍ୟମାଳା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରଦାନ କରିଥିଲେ ।
ସେହି ଦିବ୍ୟମାଳାକୁ ‘ସ୍କନ୍ଦପୁରାଣ- ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ର ନବମ ଅଧ୍ୟାୟରେ ‘ନିର୍ମାଲ୍ୟ ମାଳା’ ଓ ‘ଶ୍ରୀମୁକୁନ୍ଦଙ୍କ ମସ୍ତକ ଅର୍ପିତ ମାଳା’ ବୋଲି କୁହାଯାଇଛି । ପୁଣି କୁହାଯାଇଛି, ତାହାର ଅନିର୍ବଚନୀୟ, ଅନୁପମ ସୌରଭ ନିକଟରେ କଳ୍ପବୃକ୍ଷର କୁସୁମ ବି ତୁଚ୍ଛ । ତାହାର ସୁବାସରେ ଜଗତର ପାପରାଶି ନଷ୍ଟ ହୋଇଥାଏ । ବ୍ରହ୍ମା ଆଦି ଦେବଗଣ ମଧ୍ୟ ବିଷ୍ଣୁଙ୍କ କଳେବର ସ୍ପର୍ଶରେ ପବିତ୍ର ସେହି ମାଳାକୁ ‘ମହତୀ ସଂପଦ’ ବୋଲି ମନେ କରିଥାଆନ୍ତି । ପୁଣି ଭଗବାନ ବିଷ୍ଣୁଙ୍କ ହୃଦୟପଦ୍ମରେ ଲାଗି ହୋଇଥିବାରୁ ଏହା ଶ୍ରୀଲକ୍ଷ୍ମୀଦେବୀଙ୍କଠାରୁ ମଧ୍ୟ କୌଣସି ଗୁଣରେ ନ୍ୟୂନ ନୁହେଁ ।
‘ସ୍କନ୍ଦପୁରାଣ’ର ବର୍ଣ୍ଣନା ଅନୁସାରେ, ସେହି ମାଳା ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ ନିଜକୁ ଧନ୍ୟ ମନେ କରିବା ସହିତ, ଭୂମିରେ ମଥା ଲଗାଇ ତାହାକୁ ପ୍ରଣାମ କରିଥିଲେ । ତାଙ୍କର ସମଗ୍ର ଶରୀର ରୋମାଞ୍ଚିତ ହୋଇଉଠିଥିଲା । ତାହା ହିଁ ଥିଲା ଶ୍ରୀମନ୍ଦିର ପରମ୍ପରାର ପ୍ରଥମ ଆଜ୍ଞାମାଳ । ସେହିପରି ‘ସ୍କନ୍ଦପୁରାଣ’ରେ ମଧ୍ୟ ପ୍ରଥମ ରଥଯାତ୍ରାର ବର୍ଣ୍ଣନା ଅଛି । ପଞ୍ଚବିଂଶ ଓ ଷଡ଼ବିଂଶ ଅଧ୍ୟାୟର ବର୍ଣ୍ଣନା ଅନୁସାରେ, ତିନି ରଥର ନିର୍ମାଣ ଶେଷ ହେବା ପରେ, ବିଧିମତେ ତାହାର ପ୍ରତିଷ୍ଠା କରାଯାଇଥିଲା । ତାହା ପରେ ସେଥିରେ ଦେବତାମାନଙ୍କୁ ‘ଆରୋପିତ’ ବା ଅଧିଷ୍ଠିତ କରାଯାଇଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହସ୍ର ଅଶ୍ୱମେଧ ଯଜ୍ଞ ପରେ, ସମୁଦ୍ରତୀରରେ ଆବିର୍ଭୂତ ହୋଇଥିବା ଦିବ୍ୟଦାରୁରେ ସେହି ଦେବତାମାନେ ନିର୍ମିତ ହୋଇଥିଲେ । ବିଗ୍ରହମାନଙ୍କର ସେହି ନିର୍ମାଣକାର୍ଯ୍ୟ ସେମାନଙ୍କର ‘ଜନ୍ମବେଦୀ’ ବା ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ହୋଇଥିଲା ।
/kanak/media/post_attachments/wp-content/uploads/2019/06/Puri-rath-yatra-300x162.jpg)
ସେତେବେଳକୁ ସେମାନଙ୍କ ନିମନ୍ତେ ‘ପ୍ରାସାଦ’ ବା ମନ୍ଦିର ମଧ୍ୟ ନିର୍ମାଣ ହୋଇ ସରିଥିଲା । ତେଣୁ ସେମାନଙ୍କୁ ରଥରେ ଆରୂଢ଼ କରାଇ, ‘ପ୍ରାସାଦ’ ବା ନବନିର୍ମିତ ମନ୍ଦିର ନିକଟକୁ ଅଣାଯାଇଥିଲା । ପୁରାଣ ମତରେ ତାହାହିଁ ଥିଲା ‘ଶ୍ରୀପୁରୁଷୋତ୍ତମ’ ବା ଶ୍ରୀଜଗନ୍ନାଥଙ୍କର ପ୍ରଥମ ରଥଯାତ୍ରା । ଏବେ ପାରମ୍ପରିକ ଭାବରେ ପ୍ରଥମେ ‘ଶ୍ରୀଗୁଣ୍ଡିଚା’ ମନ୍ଦିରକୁ ଯାତ୍ରା ଏବଂ ତା’ପରେ ସେଠାରୁ ଶ୍ରୀମନ୍ଦିରକୁ ‘ବାହୁଡ଼ା’ଯାତ୍ରା ଅନୁଷ୍ଠିତ ହେଉଛି । କିନ୍ତୁ ‘ସ୍କନ୍ଦପୁରାଣ’ ଅନୁସାରେ, ଠାକୁରମାନେ ତାଙ୍କ ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ହିଁ ପ୍ରଥମ ରଥଯାତ୍ରାରେ ଆସିଥିଲେ ।