ଆଗେ ଆଗେ ବଡ଼ ଭାଇ ପଛେ ଚାନ୍ଦମୁହିଁ, ଶେଷେ ଗଲେ କାଳିଆ ଗୋସେଇଁ..ବଡ଼ଦାଣ୍ଡେ ଗହଳ ଲଗାଇ ।

94

କନକ ବ୍ୟୁରୋ : ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘର ଅଭିମୁଖେ ଯାତ୍ରା କରୁଛନ୍ତି ମହାପ୍ରଭୁ ଜଗନ୍ନାଥ । ଆଗେ ଆଗେ ବଡ଼ ଭାଇ ପଛେ ଚାନ୍ଦମୁହିଁ, ଶେଷେ ଗଲେ କାଳିଆ ଗୋସେଇଁ..ବଡ଼ଦାଣ୍ଡେ ଗହଳ ଲଗାଇ । ରଥାରୁଢ଼ ଶ୍ରୀଜିଉ ଶ୍ରୀମନ୍ଦିରରୁ ବାହାରି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ଗହଳ ଚହଳ ଲଗାଇ ମହାପ୍ରଭୁ ମାଉସୀ ଘରକୁ ଯାଉଛନ୍ତି । ବଡ଼ଦାଣ୍ଡ ପାଲଟି ଯାଇଛି ଜନସମୁଦ୍ର । ଭକ୍ତ-ଶ୍ରଦ୍ଧାଳୁଙ୍କ ଜୟ ଜୟ କାର ସହ ଘଣ୍ଟ ଘଣ୍ଟା, ଝାଞ୍ଜମୃଦଙ୍ଗ ଆଦି ବାଦ୍ୟଧ୍ୱନୀରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଅତ୍ୟନ୍ତ ଶୃଙ୍ଖଳିତ ଭାବେ ରଥଟଣା କାର୍ଯ୍ୟ ଜାରି ରହିଛି ।

ରଥର ଚତୁଃପାର୍ଶ୍ୱରେ ପୁଲିସ ପକ୍ଷରୁ କର୍ଡନ କରାଯାଇଛି, ଯାହା ଫଳରେ ରଥଟଣାରେ ବିଭ୍ରାଟ ଦେଖାଯାଇ ନାହିଁ । ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ଶେଷ ହୋଇ ପ୍ରାୟ ଦେଢ଼ ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । ଅପରାହ୍ନ ପ୍ରାୟ ୨ଟା ୧୫ ସମୟରେ ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ପ୍ରଥମେ ଟଣାଯାଇଥିଲା ।

ଜଗତର ନାଥ ଜଗନ୍ନାଥ ପ୍ରଥମେ ବଡ଼ ଭାଇଙ୍କୁ ମାଉସୀ ଘରକୁ ପଠାଇ ତା’ପରେ ଭଉଣୀ ସୁଭଦ୍ରାଙ୍କୁ ସଜ କରି ବାହାର କରିଥିଲେ। ତାଳଧ୍ୱଜ ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡ଼ିବା ପରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ହୋଇଥିଲା । ବଡ଼ଦାଣ୍ଡରେ ନନ୍ଦିଘୋଷ ଗଡ଼ୁଥିବା ବେଳେ ମନେ ହେଉଥିଲା ସତେ ଯେମିତି ଜନସମୁଦ୍ରର ଉତ୍ତାଳ ତରଙ୍ଗକୁ କାଟି ପ୍ରକାଣ୍ଡେ ତରୀରେ ଅବତୀର୍ଣ୍ଣ ହୋଇ ଆଗେଇ ଆସୁଛନ୍ତି ରଥାରୁଢ଼ ଶ୍ରୀଜଗନ୍ନାଥ ।