କନକ ବ୍ୟୁରୋ: ମହାପ୍ରଭୁ ନବଯୌବନ ପ୍ରାପ୍ତି ହେବା ପୂର୍ବରୁ ଅଣସର ପିଣ୍ଡିରେ ଚାଲିଛି ଗୋପନ ସେବା। ଶୁକ୍ରବାର ମହାପ୍ରଭୁ ଚକା ବିଜେ କରିବା ପରେ ଗତକାଲି ଅଣସର ନୀତି ଚକା ଉପରେ ସଂପନ୍ନ ହୋଇଛି। ଖଳିଲାଗି, ରକ୍ତବସ୍ତ୍ର ଲାଗି, ସର୍ବାଙ୍ଗ ଚନ୍ଦନ ଆଦି ଗୋପନ ନୀତି ସଂପନ୍ନ ହୋଇଛି। ଶୁକ୍ରବାର ଶ୍ରୀମନ୍ଦିରକୁ ବିଜେ ହୋଇଥିବା ମହୌଷଧି ଦଶମୂଳ ଗତକାଲି ବି ମହାପ୍ରଭୁଙ୍କୁ ଲାଗି କରାଯାଇଛି। ଦୀର୍ଘଦିନ ଧରି ମହାପ୍ରଭୁଙ୍କୁ କେବଳ ଧଳାଫୁଲ ଲାଗି କରାଯାଉଥିବା ବେଳେ ଗତକାଲିଠାରୁ ତୁଳସୀ ଲାଗି ହୋଇଛି। ବିଳମ୍ୱିତ ରାତିରେ ଏସବୁ ନୀତି ସଂପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି।
ଗତକାଲି ପ୍ରଥମେ ପଟିଦିଅଁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପଟିଦଅଁଙ୍କ ନିକଟରେ ସଂଧ୍ୟା ଆଳତି, ସଂଧ୍ୟା ଧୂପ ପରେ ଅଣସର ଦ୍ୱାର ଫିଟା ଯାଇଥିଲା। ପ୍ରତିଦିନ ଭଳି ଚକଟା ଓ ପଣା ଭୋଗ ହୋଇଥିଲା। ପରେ ସିଂଘାରୀ ସେବକମାନେ ପଟିଦିଅଁଙ୍କୁ ଚନ୍ଦନ ଲାଗି କରିଥିଲେ। ଏହି ସମୟରେ ଦଇତାପତି ସେବକମାନେ ଅଣସର ଘରେ ଥିବା ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ସଂପନ୍ନ କରିଥିଲେ। ଶ୍ରୀବିଗ୍ରହଙ୍କ ପୂରା ଶରୀରରେ ଚନ୍ଦନର ପ୍ରଲେପ ଦିଆଯାଇଥିଲା। ସର୍ବାଙ୍ଗ ଚନ୍ଦନ ନୀତି ପାଇଁ ୩୦ରୁ ୪୦ କେଜି ଚନ୍ଦନ ପ୍ରସ୍ତୁତ ହୋଇଥିଲା। ଏହି ଚନ୍ଦନ ଶ୍ରୀଜିଉଙ୍କ ଦେହରେ ପ୍ରାୟ ବର୍ଷେ ପର୍ୟ୍ୟନ୍ତ ରହିବ। ପୁନର୍ବାର ଆସନ୍ତା ବର୍ଷକୁ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହେବ। ସର୍ବାଙ୍ଗ ଚନ୍ଦନ ନୀତି ପରେ ଶ୍ରୀବିଗ୍ରହଙ୍କ ଖଠୁଆ ବେଶ କରାଯାଇଥିଲା। ଅଣସର ପିଣ୍ଡିକୁ ଯିବା ଦିନଠାରୁ ଶ୍ରୀଜିଉମାନେ ଧଳାଫୁଲରେ ପୂଜା ପାଉଥିବା ବେଳେ ଗତକାଲି ପ୍ରଥମ କରି ମହାପ୍ରଭୁଙ୍କ ପସନ୍ଦ ତୁଳସୀ ଲାଗି କରାଯାଇଥିଲା।
ସେପଟେ ମାନବଦେହୀ ଶ୍ରୀଜିଉ ଗତକାଲି ରକ୍ତବସ୍ତ୍ର ପରିଧାନ କରିଛନ୍ତି। ଏହି ଅବସରରେ ଶ୍ରୀଜିଉଙ୍କ ନିକଟରେ ଖଇ, ରାଜପ୍ରସାଦ ଭୋଗ ଲାଗି ହୋଇଥିଲା। ବିଳମ୍ୱିତ ରାତି ପ୍ରାୟ ୩ଟାରେ ଶ୍ରୀମନ୍ଦିର ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହାପ୍ରଭୁଙ୍କ ଉପଚାରରେ ଲାଗି ହୋଇଥିଲା। ସେହିଭଳି ଶୁଦ୍ଧ ସୁଆର ଅଣସର ଘରେ ପ୍ରସ୍ତୁତ କରିଥିବା ଖଳିକୁ (ଓଷ) ମଧ୍ୟ ଶ୍ରୀବିଗ୍ରହଙ୍କୁ ଲାଗି ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ଗୁପ୍ତନୀତି ସରିବା ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଶ୍ରୀବିଗ୍ରହଙ୍କ ଉପଚାର ପାଇଁ ଦଶମୂଳ ମହୌଷଧିକୁ ଶ୍ରୀମନ୍ଦିର ବୈଦ୍ୟମାନେ ଶ୍ରୀମନ୍ଦିର ଗାରଦରେ ଦାଖଲ କରିଥିଲେ। ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ର ବିଧି ମୁତାବକ ପ୍ରଭୁଙ୍କ କବିରାଜମାନେ ଶୁଦ୍ଧତାର ସହ ଏହାକୁ ପ୍ରସ୍ତୁତ କରିଥିଲେ। ଏହା ପୂର୍ବରୁ ଶ୍ରୀଜିଉଙ୍କୁ ଫୁଲରି ତେଲ ଲାଗି ହୋଇ ସାରିଛି। ବିଳମ୍ୱିତ ରାତିରେ ଘଣାଲାଗି ନୀତି ମଧ୍ୟ ଆରମ୍ଭ ହେବାକୁ ଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/cb7c8cd4c473c3e2a8280c8050e012ed.jpg)
/kanak/media/post_attachments/wp-content/uploads/2019/06/Baidyanka-Ghare-Dasamula-prastuti-640x430-300x202.jpg)
/kanak/media/post_attachments/wp-content/uploads/2019/06/Srimandir-ku-dasamula-bije-300x202.jpg)