ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ବ୍ରହ୍ମାଣ୍ଡକର୍ତ୍ତାଙ୍କ ଭାବବିହ୍ୱଳ ଚିତ୍ର ! ବଡଦାଣ୍ଡରେ ହେଲା ଭକ୍ତ ଓ ଭଗବାନଙ୍କ ମହାମିଳନ, ପୁରୀରେ ଜମିଲା ନେତାଙ୍କ ଭିଡ ।

62

କନକ ବ୍ୟୁରୋ : ଶରଧାବାଲିରେ ଶ୍ରୀଜିଉ । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା । ମାଉସୀ ମାଆ ମନ୍ଦିରରେ ଲାଗିଛି ବଡ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦେବୀ ଦଳନ ରଥ । ସନ୍ଧ୍ୟା କାରଣରୁ ଅଧାରେ ଅଟକିଯାଇଛି ମହାପ୍ରଭୁ ଜଗନ୍ନାଥଙ୍କ ରଥ । ରଥ ଉପରେ ଚତୁର୍ଧାମୁରତିଙ୍କୁ ଦର୍ଶନ କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଆଜି ନିର୍ଧାରିତ ସମୟର ଦେଢ ଘଂଟା ପୂର୍ବରୁ ରଥ ଟଣା ଯାଇଥିଲା । ମହାପ୍ରଭୁଙ୍କୁ ପହଣ୍ଡିରେ ମାଉସୀ ମାଆ ମନ୍ଦିରକୁ ନିଆଯିବ । ଆଜି ପ୍ରବଳ ବର୍ଷା ସତ୍ୱେ ଶ୍ରୀକ୍ଷେତ୍ରରେ ଜମିଥିଲା ଭିଡ । ସାରା ଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ ମହାପ୍ରଭୁଙ୍କୁ ରଥ ଉପରେ ଦେଖିବାକୁ ।

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅଲୌକିକ ଲୀଳା । ତିନିରଥରେ ବିଜେ କରି ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ତିନି ଠାକୁର ଗମ୍ଭୀରୀ ଭିତରୁ ଧାଡି ପହଣ୍ଡିରେ ବଡଦାଣ୍ଡକୁ ଆସିଥିଲେ । ସେବାୟତଙ୍କ ଭିତରେ ଧିରେ ଧିରେ ତିନି ଠାକୁର ଜଣକ ପରେ ଜଣେ ରଥ ଅଭିମୁଖେ ଆସିଥିଲେ । ନିର୍ଧାରିତ ସମୟ ପୂର୍ବରୁ ତିନି ଠାକୁର ନିଜ ନିଜ ରଥରେ ଅବସ୍ଥାନ କରିଥିଲେ । ସେପଟେ ପରମ୍ପରା ଅନୁସାରେ ଗଜପତି ମହାରାଜ ସିଂହଦ୍ୱାର ନିକଟରେ ଠିଆ ହୋଇଥିବା ତିନି ରଥରେ ପହଂଚି ଛେରାପହଁରା କରିଥିଲେ । ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନରେ ପର୍ଯ୍ୟାୟ କ୍ରମେ ଚନ୍ଦନ ପାଣି ଛିଂଚି ସ୍ୱର୍ଣ୍ଣ ଖଡିକାରେ ଛେରାପହଁରା କରିଥିଲେ ଗଜପତି ।

ଛେରାପହଁରା ପରେ ତିନିରଥରେ ଘୋଡା ଯୋଚା ହେବା ସହ ଚାରମାଳ କଢାଯାଇଥିଲା । ଏହା ସହ ରଥଦଉଡି ବନ୍ଧା ହେବା ପରେ ଲକ୍ଷ ଲକ୍ଷ ଭକ୍ତ ତିନି ରଥକୁ ଟାଣି ଟାଣି ନେଇଥିଲେ । ଶରଧାବାଲିରେ ଘର୍ଘର ନାଦ କରି ତିନି ରଥ ଗଡି ଚାଲିଥିଲେ ମାଉସୀ ମାଙ୍କ ଘର ଅଭିମୁଖେ । ବର୍ଷା ହେଉଥିଲେ ବି ଏହାକୁ ଖାତିର କରି ନଥିଲେ ଭକ୍ତ । ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ଭିଡ ଜମିଥିଲା ଶ୍ରୀକ୍ଷେତ୍ରରେ । ଦେଶବିଦେଶରୁ ଭକ୍ତ ଆସିଥିଲେ କାଳିଆ ଠାକୁରଙ୍କୁ ଦର୍ଶନ କରିବା ପାଇଁ । କିଏ କେଉଁ ଭାବରେ ନିଜର ଭକ୍ତି ନିବେଦନ କରିଛନ୍ତି । ଓଡିଶୀ ନୃତ୍ୟଶିଳ୍ପୀମାନେ ନିଜ ପରିପାଟି ଭିତରେ ଭଗବାନଙ୍କୁ ଭକ୍ତି ଜଣାଇଛନ୍ତି । ସେପଟେ ଭକ୍ତ ଭଗବାନଙ୍କୁ ଭକ୍ତି ଜଣାଇବାକୁ ଯାଇ ହନୁମାନ, ଶିବ ପାର୍ବତୀ ପରି ବେଶ ହୋଇଛନ୍ତି । ବହୁ ସାଧୁସନ୍ଥଙ୍କ ଭିଡ ବି ଜମିଛି ଶ୍ରୀକ୍ଷେତ୍ର ପୁରୀରେ । ଘୋଷଯାତ୍ରା ଭକ୍ତଙ୍କ ମହାମିଳନର ପର୍ବ ସାଜିଛି ।

ପୁରୀରେ ରଥଯାତ୍ରା ଅବସରରେ ନେତାଙ୍କ ଭିଡ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଅବସରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ସେବାୟତଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀଜିଉଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରାଯାଇଛି । ରଥଯାତ୍ରା ଅବସରରେ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ମନ୍ତ୍ରୀ ପୁରୀରେ ଉପସ୍ଥିତ ରହି ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେପଟେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ପୁରୀରେ ରହି ଚତୁର୍ଧା ମୂରତିଙ୍କ ଦର୍ଶନ କରିଛନ୍ତି । ସେ ରାଜ୍ୟପାଳ ଭାବେ ଓଡିଶାର ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ରଥଯାତ୍ରାରେ ଦିଅଁ ଦର୍ଶନ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କୁ ପୁରୀରେ ଦେଖିବାକୁ ମିଳିଛି । ଏହା ସହ କଂଗ୍ରେସର ରାଜ୍ୟ ପ୍ରଭାରୀ ଜୀତେନ୍ଦ୍ର ସିଂଙ୍କ ସମେତ ବହୁ କଂଗ୍ରେସ ନେତା ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।