କନକ ବ୍ୟୁରୋ: ରଥଯାତ୍ରାକୁ ନେଇ ପୁଣି ଥରେ ସୁପ୍ରିମକୋର୍ଟରେ ମାମଲା । ସ୍ପେଶାଲ ଲିଭ୍ ପିଟିସନ୍ ଦାଖଲ କଲା ଭାରତୀୟ ବିକାଶ ପରିଷଦ । ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା କରିବା ସଂଭବ ନୁହଁ ବୋଲି ଏହି ପିଟିସନରେ କୁହାଯାଇଛି । ହାତୀ , ସେବାୟତ କିଂବା ମେସିନ ଦ୍ୱାରା ରଥ ଟଣାଗଲେ ସାମାଜିକ ଦୂରତା ରକ୍ଷା କରିବା ସଂଭବ ନୁହଁ ବୋଲି ଏଥିରେ ଯୁକ୍ତି ଦର୍ଶାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟରେ ଓଡିଶା ବିକାଶ ପରିଷଦ ପକ୍ଷରୁ ଆଉ ଏକ ମାମଲା କରାଯାଇଥିଲା । ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା କରିବା ନେଇ ସେମାନେ ସନ୍ଦେହ ପ୍ରକାଶ କରି ସୁପ୍ରିମକୋର୍ଟ ଏ ଦିଗରେ ନିଷ୍ପତି ନିଅନ୍ତୁ ବୋଲି ଅପିଲ କରିଥିଲେ ।

Advertisment

ଏହାପରେ ଆଜି ସ୍ପେଶାଲ ଲିଭ୍ ପିଟିସନ୍ ଦାଖଲ କରିଛି ଭାରତୀୟ ବିକାଶ ପରିଷଦ । ଏହି ସଂସ୍ଥା ପକ୍ଷରୁ ହାଇକୋର୍ଟରେ ମଧ୍ୟ ମାମଲା କରାଯାଇଥିଲା । ହାଇକୋର୍ଟ ଏଥିରେ ରାୟ ଦେଇ କହିଥିଲେ ଓଡିଶା ସରକାର ରଥ ଯାତ୍ରା ନେଇ ନିଷ୍ପତି ନେବେ । ମେସିନ କିଂବା ହାତୀ ଦ୍ୱାରା ରଥ ଟାଣିବା କଥା ବିଚାର କରିବେ ସରକାର ବୋଲି ଏଥିରେ କୁହାଯାଇଥିଲ।। ହାଇକୋର୍ଟଙ୍କ ଏହି ରାୟ ପରେ ସୁପ୍ରିମକୋର୍ଟଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଜୁନ୍ ୨୩ ରେ ରଥଯାତ୍ରା ଥିବା ବେଳେ ଏଯାଏଁ ରାଜ୍ୟ ସରକାର କୌଣସି ନିଷ୍ପତି ନେଇନାହାନ୍ତି । ତେଣୁ ସୁପ୍ରିମକୋର୍ଟ କଣ କହୁଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।