ଶ୍ରୀମନ୍ଦିର ଛାଡି ବଡଦାଣ୍ଡରେ ମାନବୀୟ ଲୀଳାଖେଳା କଲେ ମହାପ୍ରଭୁ : ଆଜି ଅନୁଷ୍ଠିତ ହେବ ଆଡପ ମଣ୍ଡପ ବିଜେ ନୀତି

132

କନକ ବ୍ୟୁରୋ : ଶ୍ରୀମନ୍ଦିର ଛାଡି ବଡଦାଣ୍ଡରେ ମାନବୀୟ ଲୀଳାଖେଳା କଲେ ମହାପ୍ରଭୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା ତିନି ରଥ । ରଥ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ନୀତିକାନ୍ତି ପରେ ଆଜି ଆଡ଼ପମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ । ପରେ ରତ୍ନସିଂହାସନରେ ଦର୍ଶନ ଦେଉଥିବା ମହାବାହୁ ଜନ୍ମବେଦୀରେ ଦର୍ଶନ ଦେବେ । ସଂଧ୍ୟା ପୂର୍ବରୁ ଚତୁର୍ଦ୍ଧାମୂର୍ତି ଜନ୍ମବେଦୀକୁ ପହଣ୍ଡିରେ ଆସି ଅଧିଷ୍ଠିତ ହେବେ । ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇଛି ଅପୂର୍ବ ମିଳିନ ।

ଗତକାଲି ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ । ଅନ୍ୟ ସମସ୍ତ ନୀତିକାନ୍ତି ଶ୍ରୀଘ୍ର ଶେଷ ହେବାରୁ ସଂଧ୍ୟା ସୁଦ୍ଧା ଦର୍ପର୍ଦଳନ, ତାଳଧ୍ୱଜ ଓ ନନ୍ଦିଘୋଷ ଶରଧାବାଲିରେ ପହଞ୍ଚି ଯାଇଥିଲା । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିଲା । ଏହାପରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ଟାଣି ଶରଧାବାଲିରେ ପହଞ୍ଚାଇଥିଲେ ଭକ୍ତ । ଶେଷରେ ପହଞ୍ଚିଥିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ । ତିନି ରଥ ଉପରେ ହିଁ ତିନି ଦିଅଁ ରାତିରେ ରହିଥିଲେ । ରଥଉପରେ ତିନି ଦିଅଁଙ୍କ ନୀତିକାନ୍ତି ଅନୁଷ୍ଠିତ ହେଉଛି ।

ଦୁଇବର୍ଷ ପରେ ଭକ୍ତ-ଭଗବାନଙ୍କ ଭିତରେ ହୋଇଛି ଅପୂର୍ବ ମିଳନ । ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହୋଇଛି ଖଣ୍ଡମଣ୍ଡଳ । ଭକ୍ତ ବିନୋଦିଆ କାଳିଆ ଠାକୁରଙ୍କୁ ଦେଖି ନୃତ୍ୟଗୀତରେ ଝୁମିବା ସହ ବଡ଼ଦାଣ୍ଡରେ ଲୋଟିଛନ୍ତି ଭକ୍ତ । ଦୁଇବର୍ଷ ପରେ ଚର୍ମଚକ୍ଷୁରେ ଦର୍ଶନ ସହ କାଳିଆର ରଥ ଦଉଡ଼ିକୁ ସ୍ପର୍ଶ କରି ଝରାଇଛନ୍ତି ଲୋତକ । ଶୁକ୍ରବାର ଦିନ ପବିତ୍ର ଘୋଷଯାତ୍ରାରେ ଲୋକାରଣ୍ୟ ହୋଇଥିଲା ବଡ଼ଦାଣ୍ଡ । ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ରଥ ଉପରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।
ଶୁକ୍ରବାର ଭୋର  ୩ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ବେଶ ଶେଷ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ଭୋର ୫ଟା ୪୦ରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଶେଷ ହୋଇଥିଲା। ସକାଳ ୬ଟାରେ ରଥ ପ୍ରତିଷ୍ଠା, ୬ଟା ୫ରେ ପୁଷ୍ପାଞ୍ଜଳି, ୬ଟା ୧୦ରେ ଡୋର ଲାଗି ପରେ ୬ଟା ୧୫ରୁ ପହଣ୍ଡି ଆରମ୍ଭ ହୋଇଥିଲା । ଧାଡ଼ି ପହଣ୍ଡିରେ ଅଣସର ପିଣ୍ଡିରୁ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ମା’ ସୁଭଦ୍ରା, ପରେ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବାଇଶି ପାହାଚ ଦେଇ ସିଂହଦ୍ବାର ଚକଡ଼ାରେ ଥିବା ତିନି ରଥକୁ ବିଜେ କରିଥିଲେ । ସକାଳ ୯ଟା ସୁଦ୍ଧା ପହଣ୍ଡି ଶେଷପରେ ଚିତାଲାଗି, ମଇଲମ ଓ ବେଶ ହୋଇଥିଲା । ସ୍ବତନ୍ତ୍ର ମେହେଣାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ରଥ ନିକଟକୁ ବିଜେପରେ ତିନିରଥର ଛେରା ପହଁରା ଆରମ୍ଭ ହୋଇଥିଲା।