ମନ୍ଦିର ଭିତରେ ଚାଲିଛି ଠାକୁରଙ୍କ ନୀତିକାନ୍ତି । ସକାଳ ୭ଟାରୁ ୧୦ଟା ମଧ୍ୟରେ ଚତୁର୍ଦ୍ଧାମୂରତିଙ୍କ ପହଣ୍ଡି । ସାଢ଼େ ୧୧ଟାରେ ଗଜପତି କରିବେ ଛେରା ପହଁରା, ଦିନ ୧୨ଟାରେ ରଥଟଣା

133

କନକ ବ୍ୟୁରୋ: ଭୋର ୩ଟାରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ମଇଲମ, ତଡପ ଲାଗି ଏବଂ ରୋଷହୋମ କରାଯାଇଛି । ତାପରେ ଅବକାଶ ନୀତି ଓ ସୂର୍ଯ୍ୟ ପୂଜା ସରିଛି । ସକାଳ ୫ଟାରେ ଦ୍ୱାରପାଳ ପୂଜା ଓ ଠାକୁରଙ୍କ ବେଶ ଶେଷ ହୋଇଛି । ୫ଟା ୩୦ରୁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ହୋଇ ଠାକୁରଙ୍କ ପାଖରେ ଖେଚୁଡି ଭୋଗ ଲାଗି ହେଉଛି । ୬ଟା ୪୫ରେ ରଥ ପ୍ରତିଷ୍ଠା କାର୍ଯ୍ୟ ଓ ମଙ୍ଗଳାର୍ପଣ ହେବ । ୭ଟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହଣ୍ଡି ।

୧୦ଟାରେ ପହଣ୍ଡି ଶେଷ ହେବ । ୧୦ଟାରୁ ୧୦ଟା ୩୦ ମଧ୍ୟରେ ମଦନ ମୋହନ ବିଜେ ନୀତି ଅନୁଷ୍ଠିତ ହେବ । ୧୦ଟା ୩୦ରୁ ୧୧ଟା ମଧ୍ୟରେ ଚିତା ଲାଗି , ୧୧ଟାରୁ ୧୧ଟାରୁ ୩୦ ବେଶ ଶେଷ, ୧୧ଟା ୩୦ ରୁ ୧୨ଟା ୧୫ ମଧ୍ୟରେ ଛେରାପହଁରା, ୧୧ଟା ୪୫ରୁ ୧୨ ଟା ୩୦ ମଧ୍ୟରେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବ । ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ । ରଥଟଣା ଶେଷ ହେବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ।

କରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା । ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ରଥ, ପଥ ଆଉ ଜଗନ୍ନାଥ , ସମସ୍ତେ ପ୍ରସ୍ତୁତ । ୯ ଦିନର ଯାତ୍ରାରେ ବିଶ୍ୱ ନିଅନ୍ତା କାଳିଆ ଠାକୁର । ସାଙ୍ଗରେ ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା । ବିନା ଭକ୍ତରେ ଏବଂ କଟକଣା ଭିତରେ ଏଥର ହେଉଛି ମହାପ୍ରଭୁଙ୍କ ରଥଯାତ୍ରା । ଠିକ୍ ବର୍ଷକ ପରେ ଲୀଳାମୟ ଠାକୁରଙ୍କ ଲୀଳା ଦେଖିବ ସାରା ବିଶ୍ୱ । ସେ ଭାବର ଠାକୁର, ହେଲେ ଏଥର ସାକ୍ଷୀ ରହିବେନି ଭକ୍ତ । ବଡଦାଣ୍ଡରେ ରଥଯାତ୍ରାରେ ଯିବା ବେଳେ ଆଉ କାଳିଆକୁ ଚାହିଁବେନି ଲକ୍ଷ ଲକ୍ଷ ଭକ୍ତ । କାରଣ, ଭକ୍ତଙ୍କୁ ବଡଦାଣ୍ଡ ମନା । ଟିଭି ପରଦାରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଚଳଚଂଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ମନ୍ଦିର ଭିତରେ ନୀତିକାନ୍ତି ଚାଲିଛି । ଆଉ ବାହାରେ ପ୍ରସ୍ତୁତି । ରଥକୁ ଓହ୍ଲାଇଆସିବେ ଚତୁର୍ଧାମୂରତି ।