ଘୋଷଯାତ୍ରା ଆଉ ୫ ଦିନ ! ଉଠିଲା ଦୁଆର ବେଢା

46

କନକ ବ୍ୟୁରୋ: ଆଜି ରଥଖଳାରେ ପାଗ ପ୍ରତିକୂଳ ହୋଇଛି । ଦେଢାମଜୁରୀରେ କାମ ସକାଳ ୮ଟା ପୂର୍ବରୁ ଆରମ୍ଭ ହୋଇଥିବାରୁ ଦ୍ରୁତଗତିରେ ଆଗେଇ ଚାଲିଛି । ତିନିଟି ଯାକ ଭୂଇଁ ସହ ରଥ ଉପରକୁ ‘ବଡପୋଟଳ’ ଉଠିବା ପରେ ଆଜି ଦୁଆରବେଢା ଉଠିଛି । ଆଜି ଦୁଇଟି ଲେଖାଏଁ ଦୁଆର ବେଢା ଉଠିଥିବାବେଳେ ଆଉ ଦୁଇଟି ଲେଖାଏଁ ପ୍ରସ୍ତୁତି ଚାଲିଛି ।

ସେହିଭଳି ରଥ ଉପରେ ‘ବାଗ ବାଡିଆ’ ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ତେବେ ‘ବାଗ’ ହେଉଛି ରଥ ଉପରେ ପଡୁଥିବା ପଟା, ଯାହା ଉପରେ ସେବକମାନେ ଛିଡା ହେବେ, ଛେରା ପହଁରା ହେବ ଓ ମହାପ୍ରଭୁଙ୍କୁ ପହଣ୍ଡିରେ ନିଆଯିବ । ପ୍ରତ୍ୟେକ ରଥରେ ୨ଟି ଲେଖାଏଁ ‘ବଡପୋଟଳ’ ଉଠାସରିଛି । ଆଉ ଦୁଇଟି ଲେଖାଏଁ ପୋଟଳ ଉଠିବାକୁ ବାକି ରହିଛି ।

ତେବେ ଆଜି ରଥର ‘ବ୍ରେକ୍’ ବାହାର କରାଯାଇଛି । ରଥ ନିୟନ୍ତ୍ରଣ ହରାଇ ମାଡିଯିବା ପୂର୍ବରୁ ଏହା ରଥକୁ ନିୟନ୍ତ୍ରଣ କରିବ । ପତରା ନିର୍ମାଣ ଚାଲିଥିବାବେଳେ ‘କଳସ ନିର୍ମାଣ’ ଶେଷ ହୋଇଛି । କଳସକୁ ରଙ୍ଗ ଦେବାପାଇଁ ରୂପକାରମାନଙ୍କୁ ହସ୍ତାନ୍ତର କରାଯାଇଛି ।

ସେହିଭଳି ରଥଖଳାରେ ପ୍ରସ୍ତୁତ ‘ପାରାଭାଡି’ ରଙ୍ଗ ଆରମ୍ଭ ହୋଇଛି । ବିଶ୍ୱକର୍ମା ପ୍ରସ୍ତୁତ କରିଥିବା ‘ପାରାଭାଡି’କୁ ରୂପକାରମାନେ ରଙ୍ଗ ଦେବାପରେ ଭୋଇ ସେବକମାନେ ଏହାକୁ ରଥଉପରକୁ ଉଠାଇବେ । ‘ଗାରେଡି ଅଁଳା’ ମଧ୍ୟ ନିର୍ମାଣ ସରିଥିବାବେଳେ ସମସ୍ତ ରଥର ‘ପୋଟଳ ପାଳେନି’ ସ୍ଥାପନ ହେବାପରେ ବଡ ପାରାଭାଡି, ମୁଣ୍ଡିଆ, କଳସ ଆଦି ସ୍ଥାପନ ହେବ ।