ରାଜଧାନୀରେ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ! ଦୁଇ ଦିନ ପରେ ଆରମ୍ଭ ହେବ ଘୋଷଯାତ୍ରା , ୧୫ ପ୍ଲାଟୁନ୍ ପୋଲିସ୍ ଦେବେ କଡା ସୁରକ୍ଷା ।

76

ଦୁଇ ଦିନ ପରେ ଘୋଷଯାତ୍ରା। ରାଜଧାନୀରେ ଇସ୍କନ୍ ମନ୍ଦିର ସମେତ ୫୦ରୁ ଅଧିକ ସ୍ଥାନରେ ରଥଟଣା ହେବ। ବିଶେଷକରି ଇସ୍କନ୍ ଓ କିଟ୍ ରେ ଅଧିକ ଭିଡ଼ ପରିଲକ୍ଷିତ ହେବ। ତେଣୁ ଏହି ସମୟରେ ପୂରା ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ସହ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଯାହା ସୂଚନା ମିଳିଛି, ରାଜଧାନୀରେ ଚଳିତଥର ପାଖାପାଖି ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ କେବଳ ସୁରକ୍ଷା ପାଇଁ ନିୟୋଜିତ ହେବାକୁ ଥିବା ବେଳେ ଟ୍ରାଫିକ୍ ପରଚାଳନା ପାଇଁ ୪ ପ୍ଲାଟୁନ ଫୋର୍ସଙ୍କୁ ମୁତୟନ କରାଯିବ। ଏଥିପାଇଁ ଇସ୍କନରେ ଏକ ସ୍ବତନ୍ତ୍ର ଏବଂ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲିବ। ଜଣେ ଆଡିସନାଲ ଡିସିପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ଡିସିପି ଅନୁପ ସାହୁଙ୍କଠାରୁ ମିଳିଥିବା ସୂଚନା ମୁତାବକ, କେବଳ ଇସ୍କନ ପାଇଁ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବ। ଏଥି ମଧ୍ୟରୁ ଜଣେ ଆଡିସନାଲ ଡିସିପି, ୫ଜଣ ଏସିପି, ୯ ଜଣ ଇନ୍ସପେକ୍ଟର, ୨୦ଜଣ ଏସଆଇ, ୧୮ଜଣ କନଷ୍ଟେବଲ, ୩୭ଜଣ ମହିଳା କନଷ୍ଟେବଲ ଓ ୬ଜଣ ହୋମଗାର୍ଡ ନିୟୋଜିତ ହେବେ। ରଥଟଣା ଆରମ୍ଭ ହେବା କ୍ଷଣି ଜାତୀୟ ରାଜପଥରେ ଟ୍ରାଫିକ୍ କଟକଣା ଲାଗୁ କରାଯିବ। ଏହି ସମୟରେ ବରମୁଣ୍ଡା ପଟୁ କୌଣସି ଗାଡ଼ି ମୋଟର ତଳ ରାଜପଥ ଦେଇ ରସୁଲଗଡ଼ ଆଡ଼େ ଆସିପାରିବ ନାହିଁ। ସେହିପରି ରଥଯାତ୍ରା ବେଳେ ଇସ୍କନ୍ ମନ୍ଦିର ସମ୍ମୁଖ ଫ୍ଲାଏଓଭର୍ ରଥଟଣା ଦେଖିବାକୁ ବାରଣ କରାଯାଇଛି। ଭାରୀଯାନଗୁଡ଼ିକୁ ପିତାପଲ୍ଲୀ ପାଖରୁ ଡାଇଭର୍ସନ୍ କରାଯିବ। ସେହିପରି ବରମୁଣ୍ଡାରୁ ପୁରୀ ଯାଉଥିବା ବସ୍ଗୁଡ଼ିକ ସହର ଭିତର ହୋଇ ଯିବା ଆସିବା କରିବ। ସିଆରପି, ଡିଏଭି, ପାୱାର ହାଉସ ଛକ ଆଦିରେ ମଧ୍ୟ ଟ୍ରାଫିକ୍ ପୁଲିସ ନିୟୋଜିତ ହେବେ।

ରଥଟଣା ବେଳେ ସୁଭଦ୍ରା ରଥଙ୍କୁ କେବଳ ମହିଳାମାନେ ଟାଣିବାର କାର‌୍ୟ୍ୟକ୍ରମ ରହିଛି । ମହିଳାମାନଙ୍କ ସୁରକ୍ଷା ପାଇଁ ସାଦା ପୋଷକାରେ ପୁଲିସ କର୍ମଚାରୀ ରଥ ଟାଣିବେ। ଏହା ଦ୍ବାରା ସେମାନେ ମହିଳା ଲୁଟେରାମାନଙ୍କ ଉପରେ ନଜର ରଖିପାରିବେ। ଅସାମାଜିକ ତତ୍ତ୍ବମାନଙ୍କ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଭାବେ କ୍ୟୁଏଟି, ନୂଆପଲ୍ଲୀ ଥାନା ପୁଲିସକୁ ନିର୍ଦେଶ ହୋଇଛି। ବିଶେଷକରି ରାଜ୍ୟ ବାହାରର ପକେଟ୍ମାର ଓ ଲୁଟେରାମାନେ ଇସ୍କନ ରଥଯାତ୍ରାରେ ଲୁଟପାଟ୍ କରୁଥିବା ବିଗତ ବର୍ଷରେ ଦେଖାଦେଇଥିଲା। ଏହା ରୋକିବା ଲାଗି କମିସନରେଟ୍ ପୁଲିସ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।