କନକ ବ୍ୟୁରୋ : ରଥଯାତ୍ରା ପରିଚାଳନା ଖର୍ଚ୍ଚ ଉପରେ ଭାରି ପଡ଼ୁଛି ସେବକଙ୍କ ପ୍ରାପ୍ୟ। ବିଭିନ୍ନ ପ୍ରକାରର କ୍ଷତିପୂରଣ ଅର୍ଥକୁ ମିଶାଇଲେ ଏହା ୧୦ କୋଟି ଛୁଇଁବାକୁ ଯାଉଛି। ୨୦୧୭ ରଥଯାତ୍ରା ତୁଳନାରେ ଏ ବର୍ଷ ରଥଯାତ୍ରାରେ ସେବକଙ୍କ ପ୍ରାପ୍ୟ ଦୁଇ ଗୁଣା ବଢ଼ିବ ବୋଲି ଆକଳନ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏହି ଆକଳନକୁ ଅନୁମୋଦନ ମଧ୍ୟ ଦେଇଛି। ସେବକମାନେ କେଉଁ ବାବଦରେ କେତେ ପ୍ରାପ୍ୟ ନେଉଛନ୍ତି ତାହା ବି ସ୍ପଷ୍ଟ କରାଯାଇଛି।
/kanak/media/post_attachments/wp-content/uploads/2016/07/ratha-yatra-orissa.jpg)
ମିଳିଥିବା ସୂଚନା ଅନୁଯାୟୀ, ୨୦୧୭ ଚନ୍ଦନ ଯାତ୍ରା ଓ ରଥଯାତ୍ରାରେ ସେବକଙ୍କ ପ୍ରାପ୍ୟ ଥିଲା ୫ କୋଟି ୬୪ ଲକ୍ଷ ୯୪ ହଜାର ୯୯୧ ଟଙ୍କା। ସେହି ବର୍ଷ ପରିଚାଳନା, ରଥ ନିର୍ମାଣ ମଜୁରୀ ଓ ଅନ୍ୟାନ୍ୟ ଖର୍ଚ୍ଚ ଥିଲା ମାତ୍ର ୧ କୋଟି ୪୨ ଲକ୍ଷ ୬୫ ହଜାର ୮୪୦ ଟଙ୍କା। ରଥଯାତ୍ରାର ପରିଚାଳନା ଖର୍ଚ୍ଚ ଅପେକ୍ଷା ପାଉଣା ତିନି ଗୁଣରୁ ଅଧିକ ରହିଥିବା ଜଣାପଡ଼ିଛି।
ରଥ ଉପରକୁ ଭକ୍ତଙ୍କ ଚଢ଼ିବା ଉପରେ କଟକଣା ଥିବାରୁ ଏ ବାବଦରେ ଦଇତାମାନଙ୍କୁ କ୍ଷତିପୂରଣ ଦେଉଛି ମନ୍ଦିର ପ୍ରଶାସନ। ଭକ୍ତଙ୍କ ରଥଚଢ଼ା ବନ୍ଦ ଥିବା କାରଣରୁ ଦଇତାମାନଙ୍କୁ କ୍ଷତିପୂରଣ ବାବଦରେ ୩ କୋଟି ୨ ଲକ୍ଷ ୪୦ ହଜାର ଟଙ୍କା ଦିଆଯାଇଥିବା ପ୍ରଶାସନ ପକ୍ଷରୁ ଦର୍ଶାଯାଇଛି। ଏ ନେଇ ଗତ ବଜେଟରେ ପରିଚାଳନା କମିଟି ୧ କୋଟି ୪୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଆକଳନ କରିଥିଲା। ମାତ୍ର ଧାର୍ଯ୍ୟ ଆକଳନଠାରୁ ଏହା ଅଧିକ ୧ କୋଟି ୫୮ ଲକ୍ଷ ୪୦ ହଜାର ବଢ଼ିଗଲା। ଏହାକୁ ବାଦ୍ ଦେଲେ ଗତବର୍ଷ ରଥଯାତ୍ରା ପାଉଣା ବାବଦକୁ ସେବକମାନେ ମୋଟ ୮ କୋଟି ୮୦ ଲକ୍ଷ ୨୭ ହଜାର ୬୯୯ ଟଙ୍କା ପାଇଥିବା ରେକର୍ଡ କହୁଛି। ତେବେ ଗତବର୍ଷ ରଥ ନିର୍ମାଣ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧ କୋଟି ୭୩ ଲକ୍ଷ, ୭୮ ହଜାର ୧୪୫ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଛି ମନ୍ଦିର ପ୍ରଶାସନ।
ଚଳିତ ବର୍ଷ ରଥଯାତ୍ରାରେ ସେବକ ପାଉଣା ବାବଦକୁ ୯ କୋଟି ୮୬ ଲକ୍ଷ ୨୪ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ସେଥିରୁ ରଥଚଢ଼ା ବନ୍ଦ ବାବଦକୁ ଦଇତାଙ୍କ କ୍ଷତିପୂରଣ ୧ କୋଟି ୭୪ ଲକ୍ଷ ୨୪ ହଜାର ଟଙ୍କା ଆକଳନ କରାଯାଇଥିବା ବେଳେ ପରିମାଣିକ ଦର୍ଶନ ବାବଦ କ୍ଷତି ପାଇଁ ୨୪ ଲକ୍ଷ ଟଙ୍କା, ରଥଯାତ୍ରା ପାଇଁ ସ୍ବତନ୍ତ୍ର ପୁରସ୍କାର ବାବଦରେ ୨ କୋଟି ୪୨ ଲକ୍ଷ ଟଙ୍କା ଏବଂ ସେବକ ପ୍ରାପ୍ୟ ବାବଦରେ ୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ ହୋଇଛି। ଏ ବର୍ଷ ରଥ ନିର୍ମାଣ ପାଇଁ ମଜୁରି ଓ ଅନ୍ୟାନ୍ୟ ଶ୍ରମିକ ପାଉଣା ବାବଦରେ ୬୦ ଲକ୍ଷ ସମେତ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ମୋଟ ୧ କୋଟି ୮୬ ଲକ୍ଷ ୬୫ ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ପରିଚାଳନା କମିଟିର ଆକଳନ ଅନୁଯାୟୀ ଏ ବର୍ଷ ସେବକ ପାଉଣା, ରଥ ନିର୍ମାଣ ମଜୁରି ଓ ଅନ୍ୟାନ୍ୟ ଖର୍ଚ୍ଚର ପ୍ରାୟ ୬ ଗୁଣ ହେବ।