କନକ ବ୍ୟୁରୋ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ତିନି ରଥର ଶେଷ କାମ ଭାବେ ବିବେଚିତ ପ୍ରଭା କାମକୁ ମହାରଣା ସେବକମାନେ ଏହା ଭିତରେ ଶେଷ କରିଛନ୍ତି। ରୂପକାର ସେବକମାନେ ଏହାକୁ ରୂପ ଦେବା ପରେ ଚିତ୍ରକାର ସେବକମାନେ ଏହାକୁ ରଙ୍ଗ ଦେବାରେ ନିମଗ୍ନ ଅଛନ୍ତି। ଏକାଧିକ ଚିତ୍ରକର ସେବକ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନର ପ୍ରଭାରେ ରଙ୍ଗ ଦେବା କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ରଙ୍ଗ କାମ ସରିବା ପରେ ପ୍ରଭାକୁ ତିନି ରଥରେ ସଂଯୋଗ କରାଯିବ।
ସେପଟେ ରଥଯାତ୍ରା ସମୟରେ ପହଣ୍ଡି ବିଜେ ପାଇଁ ଆବଶ୍ୟକ ସେନାପଟା କାମ ଦୋଳବେଦିଠାରେ ଆଗେଇ ଚାଲିଛି। ଭୋଇ ସେବକ ଓ ଅନ୍ୟ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ସେପଟେ ଦୋଳବେଦି କମାରଶାଳରେ ଲୌହକଣ୍ଟା ପ୍ରସ୍ତୁତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ରବିବାର ଦିନ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନରେ ହଂସପଟା ବାଡ଼ିଆ କାମ ଶେଷ ପରେ ସୋମବାର ଦିନ ଶିଖ ଡମ୍ବୁରୁ ବାଡ଼ିଆ କାମ ଶେଷ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ସୋମବାର ତିନି ରଥରେ ଶିଖ ଡମ୍ବୁରୁ ବାଡ଼ିଆ କାମ ଶେଷ କରିଛନ୍ତି। ସେହିପରି ପୂର୍ବରୁ ରଙ୍ଗ ଦିଆ ସରିଥିବା ପାର୍ଶ୍ୱ ଦେବାଦେବୀଙ୍କୁ ସୋମବାର ତିନି ରଥରେ ସଂଯୋଗ କରାଯାଇଛି। ଗୋଟିଏ ରଥରେ ଦୁଇ ଦ୍ଵାରପାଳ ରହିଥାନ୍ତି। ଏପରି ତିନି ରଥରେ ୬ ଦ୍ଵାରପାଳ ଲାଗିଥାନ୍ତି। ରବିବାର ଦିନ ଏହି ଦ୍ଵାରପାଳ ରଙ୍ଗ ସରିବା ସୋମବାର ଏହାକୁ ତିନି ରଥରେ ସଂଯୋଗ କରାଯାଇଛି। ବାକି କାମ ଖୁବ୍ଶ୍ରୀଘ୍ର ଶେଷ କରିବାକୁ ମହାରଣା ଓ ଭୋଇ ସେବକମାନେ ତତ୍ପରତା ଦେଖାଇଛନ୍ତି। ସେପଟେ ଚିତ୍ରକାର ଓ ରୂପକାର ସେବକମାନେ ବି ସେମାନଙ୍କ କାମକୁ ଆଗେଇ ନେଉଛନ୍ତି। ତିନି ରଥରେ ରଙ୍ଗ କାମ ଜୋରସୋରରେ ଚାଲିଛି। କମାର ସେବକମାନେ ବି ଲୌହ ସାମଗ୍ରୀ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/Sequence-2-01441422-1.jpg)
/kanak/media/post_attachments/wp-content/uploads/2018/07/ratha-ra-prabha-ranga-chalichi-300x172.jpg)
/kanak/media/post_attachments/wp-content/uploads/2018/07/ratha-r-lagila-parswadebata-1-300x195.jpg)