କନକ ବ୍ୟୁରୋ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଗତକାଲି ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନର ଦୁଆର ବେଢ଼ା ଉଠିଛି। ମହାରଣା ସେବକ ଓ ଭୋଇ ସେବକମାନେ ଗତକାଲି ଅପରାହ୍‌ଣରେ ଏହି କାର୍ଯ୍ୟ ସଂପାଦନ କରିଛନ୍ତି। ପୂର୍ବରୁ ମହାରଣା ସେବକମାନେ ତିନି ରଥର ଦୁଆର ବେଢ଼ା କାମ ଶେଷ କରିଥିଲେ। ଚିତ୍ରକାର ସେବକଙ୍କ ଦ୍ଵାରା ରଙ୍ଗ କାମ ବି ଶେଷ ହୋଇ ସାରିଥିଲା। କେବଳ ସଂଯୋଗ କାମ ବାକି ରହିଥିଲା। ଗତକାଲି ଏହି କାମ ଶେଷ ହୋଇଛି। ଏଥର କେବଳ ରଥ ଉପର କାମ ବାକି ରହିଛି।

Advertisment

publive-image

ରଥଖଳାରେ ସେପରି ଆଉ ବଡ଼ କାମ ବାକି ନଥିବା ବେଳେ ମହାରଣା ସେବକ ଓ ଭୋଇ ସେବକମାନେ ଏଥର ରଥ ଉପରେ ବାକି ଥିବା କାମକୁ ସଂପାଦନ କରିବେ। ଏହା ଭିତରେ ପୂର୍ବରୁ ତିନି ରଥର ଶେଷ କାମ ପୋଟଳ ଓ ପ୍ରଭା କାମ ଶେଷ ହୋଇଥିଲା। ସେପଟେ ରୂପକାର ଓ ଚିତ୍ରକାର ସେବକମାନେ ସେମାନଙ୍କ କାମକୁ ଆଗେଇ ନେଇଛନ୍ତି। ରଥରେ ରଙ୍ଗ ଦେବାଠାରୁ ଆରମ୍ଭ କରି ପାର୍ଶ୍ୱ ଦେବା ଦେବୀଙ୍କ ରଙ୍ଗ ଜୋରସୋରରେ ଆଗେଇ ଚାଲିଛି। କଳାଧଳା ଘୋଡ଼ା, ଶୁଆ, କୋଣଗୁଜ, ଗୁଜ ଆଦିରେ ରଙ୍ଗ ଦେବାରେ ଚିତ୍ରକାର ସେବକମାନେ ତତ୍ପରତା ଦେଖାଇଛନ୍ତି। ତିନି ରଥ ପାଇଁ ଆବଶ୍ୟକ କପଡ଼ା ବି ପ୍ରସ୍ତୁତି ଆରମ୍ଭ ହୋଇଛି। ଦରଜୀ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ଦୋଳବେଦି କମାରଶାଳରେ ବି କମାର ସେବକମାମାନେ କଣ୍ଟା ପ୍ରସ୍ତୁତି କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।