ବିନା ଭକ୍ତରେ ହେବ ସ୍ନାନଯାତ୍ରା ଓ ରଥଯାତ୍ରା ? ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ ନିଷ୍ପତ୍ତି । ସୀମିତ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରଥଯାତ୍ରା କରିବାକୁ କମିଟିର ପ୍ରସ୍ତାବ ।

366

କନକ ବ୍ୟୁରୋ: କଟକଣା ଭିତରେ ହେବ ରଥଯାତ୍ରା । ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ ନିଷ୍ପତ୍ତି । ଭିଡିଓ କନଫରେନସିଂ ଜରିଆରେ ଭୁବନେଶ୍ୱର ଓ ପୁରୀରେ ଆଜି ବସିଥିବା ବୈଠକରେ ପୁରୀରେ ରଥଯାତ୍ରା କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କଟକଣା ଭିତରେ ରଥଯାତ୍ରା କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବାବେଳେ ଏବେ ସରକାରଙ୍କ ନିଷ୍ପତିକୁ ଅପେକ୍ଷା ।

ତେବେ ସୀମିତ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରଥଯାତ୍ରା ହୋଇପାରିବ ବୋଲି କୁହାଯାଇଛି । ଏପରିକି ବଡଦାଣ୍ଡକୁ ଭକ୍ତଙ୍କୁ ଛଡାଯିବ ନାହିଁ । ବିନା ଭକ୍ତରେ ଏଥର ରଥଯାତ୍ରା କରିବାକୁ ପ୍ରସ୍ତବ ଦିଆଯାଇଛି । କେବଳ ରଥ ଯାତ୍ରା ନୁହେଁ, ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଏଭଳି କଟକଣା ରଖିବାକୁ କୁହାଯାଇଛି । ଲକଡାଉନ ନିୟମ କୋହଳ ହେଲେ ମଧ୍ୟ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ନଦେବା ଲାଗି କୁହାଯାଇଛି । ତେବେ ମହାପ୍ରଭୁଙ୍କ ବିଧିକୁ ବନ୍ଦ କରିବା ଉଚିତ ନୁହେଁ । ତେଣୁ ପୁରୀରେ ରଥଯାତ୍ରା ହେବ କି ନାହିଁ ରାଜ୍ୟ ସରକାର ସେ ବାବଦରେ ନିଷ୍ପତି କରିବେ ।

ସେପଟେ ସ୍ନାନପୂର୍ଣ୍ଣିମାକୁ ନେଇ ନିଷ୍ପତ୍ତି ଚୂଡାନ୍ତ ହୋଇଛି । ଏଥର ଶ୍ରୀମନ୍ଦିର ଭିତରେ ହିଁ ସ୍ନାନପୂର୍ଣ୍ଣିମା ନୀତି ସଂପାଦନ କରିବାକୁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୀମିତ ସେବକ ଓ କିଛି ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସ୍ନାନ ପୂର୍ଣ୍ଣିମା ନୀତି କରାଯିବ । ସେହିପରି କୌଣସି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ଯାଇପାରିବ ନାହିଁ । ଭକ୍ତମାନେ ଯେଭଳି ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେଖିପାରିବେ ସେଥିପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରିବ ବିଭାଗ । ତେବେ ଏଥର ଭକ୍ତ ଡିଜିଟାଲରେ ଦିଅଁ ଦର୍ଶନ କରିବେ ।