କନକ ବ୍ୟୁରୋ: ଶେଷରେ ସମସ୍ତ ଆଶା ଆଶଙ୍କା ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶହଶହ ବର୍ଷର ପ୍ରଚଳିତ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ଫଳରେ ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି। ମମଲାର ଚୂଡ଼ାନ୍ତ ରାୟ ଶୁଣାଇ ମୁଖ୍ୟବିଚାରପତି ଜଷ୍ଟିସ୍  ଏସ୍.ଏ. ବୋବଡେ କହିଛନ୍ତି ‌ଯେ ଆମେ କେବଳ ପୁରୀ ପାଇଁ ରଥଯାତ୍ରା ଲାଗି ଅନୁମତି ଦେଉଛୁ। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ।

Advertisment

publive-image

କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଅନ୍ୟ ପକ୍ଷମାନଙ୍କର ଶୁଣାଣି ପରେ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠର ନିଷ୍ପତ୍ତି ଘୋଷଣା କରି ମୁଖ୍ୟବିଚାରପତି ବୋବଡେ କହିଲେ, ପୁରୀରେ ରଥଯାତ୍ରା ଆୟୋଜନ ଦାୟିତ୍ୱ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ଏବଂ ଓଡ଼ିଶା ସରକାରଙ୍କୁ ଛାଡ଼ି ଦିଆଯାଉ। ସେମାନେ କଡ଼ା କଟକଣା ଭିତରେ ଏବଂ ବିନା ଭକ୍ତ ସମାଗମରେ ରଥଯାତ୍ରା କରାଇବେ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ରଥଯାତ୍ରା ସମାପନ କରିବେ।

ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ସମାଗମ ହେବାର ଆଶଙ୍କା ରହିଥିବାରୁ କୋଭିଡ୍‌-୧୯ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ଗତ ଜୁନ୍‌ ୧୮ ତାରିଖରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ନେତୃତ୍ୱାଧୀନ ଏକ ତିନି ଜଣିଆ ଖଣ୍ଡପୀଠ କହିଥିଲେ। ଏଥିସହ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ କହିଥିଲେ, ‘ସାଂପ୍ରତିକ ପରିସ୍ଥିତିରେ ଯଦି ଆମେ ରଥଯାତ୍ରା ପାଇଁ ଅନୁମତି ଦେଉଛୁ ତେବେ ମହାପ୍ରଭୁ ଜଗନ୍ନାଥ କେବେ ବି ଆମକୁ କ୍ଷମା ଦେବେ ନାହିଁ’।

publive-image

ତେବେ, ସୁପ୍ରିମ କୋର୍ଟର ଏ ନିର୍ଦ୍ଦେଶର ପୁନଃ ସମୀକ୍ଷା ପାଇଁ ସୁପ୍ରିମ୍‌ କୋର୍ଟରେ ଏକାଧିକ ରିଭ୍ୟୁ ପିଟିସନ ଆଗତ ହୋଇଥିଲା। ଆଜି ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚରେ ରଥଯାତ୍ରା ପ୍ରସଙ୍ଗରେ ମୂଳ ମାମଲା ସହ ଆଦେଶ ମୋଡିଫିକେସନ ଆବେଦନଗୁଡ଼ିକର ଏକାଠି ଶୁଣାଣି ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଏହି ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଆଗତ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଯଦି ଶ୍ରୀମନ୍ଦିର ପରିଚାଳନା ସମିତିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ କ୍ରମେ କେବଳ ପୁରୀରେ ଜନସାଧାରଣଙ୍କ ଯୋଗଦାନ ବ୍ୟତିରେକେ ରଥଯାତ୍ରା ଅନୁଷ୍ଠିତ ହୁଏ, ତେବେ ରାଜ୍ୟ ସରକାର ଏଥିଲାଗି ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍‌ କୋର୍ଟରେ ଉପସ୍ଥିତ ରହି ବିଚାରପତିଙ୍କୁ କହିଥିଲେ ଯେ ରଥଯାତ୍ରା ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସିଛି। ଏହାକୁ ଏପରି ହଠାତ୍‌ ବନ୍ଦ କରି ଦିଆଯାଇ ପାରିବ ନାହିଁ। ଯଦି ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ ରଖାଯାଉଛି ତେବେ ବିଧି ମୁତାବକ ଶ୍ରୀଜିଉମାନେ ଆଉ ଆସନ୍ତା ୧୨ ବର୍ଷ ପାଇଁ ରଥଯାତ୍ରରେ ବାହାରି ପାରିବେ ନାହିଁଁ। ତେଣୁ, କୋଭିଡ୍‌- ୧୯ ସଂକ୍ରମଣକୁ ରୋକିବା ପାଇଁ ପୁରୀରେ ଗୋଟିଏ ଦିନ ପାଇଁ କର୍ଫ୍ୟୁ ଜାରି କରାଯାଇ ଭକ୍ତଙ୍କ ବିନା ରଥଯାତ୍ରାର ଆୟୋଜନ କରାଯାଉ ଏବଂ ଭକ୍ତମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ରଥଯାତ୍ରାର ସିଧା ପ୍ରସାରଣ କରାଯାଉ ବୋଲି ସେ ଯୁକ୍ତି ବାଢ଼ିଥିଲେ। ସଲିସିଟର ଜେନେରାଲ ତୁଷାର ମେହାଟ୍ଟଙ୍କ ଏ ଯୁକ୍ତି ଓ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ଅନୁଧ୍ୟାନ କରିବା ପରେ ସୁପ୍ରିମ୍‌ କୋର୍ଟର ବିିଚାରପତି ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚ ଏହି ମାମଲାକୁ ଏକ ବୃହତ୍ତର ଖଣ୍ଡପୀଠକୁ ପଠାଇ ଦେଇଥିଲେ।

publive-image

ଏହାପରେ ସମସ୍ତ ଆବେଦନର ଚୂଡ଼ାନ୍ତ ଶୁଣାଣି ସୁପ୍ରିମ୍‌ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ନେତୃତ୍ୱାଧୀନ ଏକ ତିନି ଜଣିଆ ଖଣ୍ଡପୀଠରେ ହୋଇଥିଲା। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ସହିତ ଏହି ମାମଲାର ଶୁଣାଣି କରିଥିଲେ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା ଓ ଜଷ୍ଟିସ୍‌ ଦୀନେଶ ମାହେଶ୍ୱରୀ। କେନ୍ଦ୍ର ସରକାରଙ୍କର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ହରିଶ୍‌ ସାଲଭେ ଏହି ମାମଲାର ପରିଚାଳନା କରୁଥିଲେ।