କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ହାଇକୋର୍ଟ, ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତି ଛାଡିବା ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରା ନେଇ ଅଂଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ବୁଧବାର ଦଇତାପତି ନିଯୋଗ ସହ ଆଲୋଚନା କରି ରଥଯାତ୍ରାର ନୀତି ନିର୍ଘଂଟ ପ୍ରସ୍ତୁତ କରିବାକୁ କୁହାଯାଇଛି । କରୋନା କଟକଣା ଭିତରେ କିଭଳି ଶୃଙ୍ଖଳିତ ଭାବେ ରଥଯାତ୍ରା ନୀତିକାନ୍ତି ପାଳନ ହେବ ତାଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।
ବିନା ଭକ୍ତରେ ଶୃଙ୍ଖଳିତ ଭାବେ ସ୍ନାନଯାତ୍ରା ସମ୍ପନ୍ନ ହୋଇଥିବାରୁ ବିଭିନ୍ନ ସେବାୟତ ନିଯୋଗଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିସହ ରଥ ନିର୍ମାଣ ଓ ରଥଯାତ୍ରା ବାବଦରେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସେବାୟତଙ୍କୁ ସମ୍ବଲପୁରୀ କପଡାରେ ପ୍ରସ୍ତୁତ ମାସ୍କ ଓ ଗାମୁଛା ଦିଆଯିବ । ଏଥିସହ ସେବାୟତଙ୍କ ଦ୍ୱିତୀୟ ପର୍ଯ୍ୟାୟ ପାଉଣା ବାବଦରେ ୫ ହଜାର ଟଙ୍କା ଦେବା ନେଇ ନିଷ୍ପତି ହୋଇଛି ।
ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ଆଲୋଚନା ପରେ ଚଳିତ ବର୍ଷ ରଥଯାତ୍ରା ହେବା ନେଇ ଏକ ପ୍ରକାର ସବୁଜ ସଙ୍କେତ ମିଳିସାରିଛି । କେବଳ ରାଜ୍ୟ ସରକାରଙ୍କ ଘୋଷଣାକୁ ଅପେକ୍ଷା ରହିଛି । ତେବେ ସରକାର କୋଟି କୋଟି ଲୋକଙ୍କ ଭାବାବେଗ ସହ ଖେଳି କାହିଁକି ରଥଯାତ୍ରା ନିଷ୍ପତ୍ତି ଝୁଲାଇ ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଆସନ୍ତା ୧୫-୧୬ ତାରିଖ ସୁଦ୍ଧା ରଥଯାତ୍ରା ନେଇ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି ।