ଅନସର ଉପଚାର ଉପରେ ସୁସ୍ଥ ହେଲେଣି ଶ୍ରୀଜିଉ । ମହାପ୍ରଭୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଗଜପତି ମହାରାଜଙ୍କୁ ଜଣାଇବାକୁ ରାଜପ୍ରାସାଦ ବିଜେ କରିବେ ସେବାୟତ

265

କନକ ବ୍ୟୁରୋ : ସୁସ୍ଥ ହେଲେଣି ଶ୍ରୀଜିଉ । ସ୍ନାନପୂଣ୍ଣିମାଠାରୁ ଜ୍ୱରରେ ପୀଡିତ ହୋଇ ଅନବସରରେ ରହୁଥିଲେ ତିନି ଠାକୁର । ଏହି ସମୟରେ ଦଇତାପତି ସେବାୟତ ମହାପ୍ରଭୁଙ୍କୁ ଗୁପ୍ତସେବା କରିବା ସହ ବୈଦ୍ୟଙ୍କ ପରାମର୍ଶ ଅନୁସାରେ ଦଶମୂଳ ଓଷୋ ଦିଆଯିବା ପରେ ସୁସ୍ଥ ହୋଇଛନ୍ତି ଠାକୁର । ତେବେ ଏନେଇ ଗଜପତି ମହାରାଜଙ୍କୁ ସୂଚନା ଦେବାକୁ ସେବାୟତ ରାଜ ନଅର ଯିବେ । ଏହି ପରମ୍ପରାକୁ ରାଜ ପ୍ରାସାଦ ବିଜେ ବୋଲି କୁହାଯାଏ । ଦ୍ୱାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜଙ୍କୁ ଦଇତାପତିମାନେ ଭେଟିବା ସହ ଶ୍ରୀଜିଉ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଥାନ୍ତି ।

ଏହା ସହ ଅଣସର ସମୟରେ ଶ୍ରୀଅଙ୍ଗରୁ ବାହାରିଥିବା ପ୍ରସାଦଚନ୍ଦନ, କରାଳ ଓ ପାଟଡୋରିକୁ ଧରି ଦଇତାପତିମାନେ ଶ୍ରୀନଅର ଆସିଥାନ୍ତି ଏବଂ ଏହାକୁ ଗଜପତିଙ୍କୁ ଦେଇଥାନ୍ତି । ଗଜପତିଙ୍କ ସହ ଦଇତାପତିଙ୍କ ଆଲୋଚନା ପରେ ନବଯୈ÷ାବନ ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ମାତ୍ର ପରମ୍ପରା ଅନୁସାରେ ଗଜପତି ମହାରାଜଙ୍କ ରାଜପୁରୋହିତ ସମସ୍ତ ଦଇତାପତିଙ୍କୁ ସମ୍ମାନ ଜଣାଇ ଶିରିପା ବାନ୍ଧିଥାନ୍ତି । ଏହା ସହ ଘୋଷଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଗଜପତି ଅନୁମତି ଦେବାର ପରମ୍ପରା ରହିଛି ।