କନକ ବ୍ୟୁରୋ : ରଥଯାତ୍ରାକୁ ଆଉ ମାତ୍ର ୧୨ ଦିନ (ଜୁନ୍ ୨୩ ତାରିଖ)। କିନ୍ତୁ ଏଯାଏ ରଥଯାତ୍ରା ସମନ୍ବୟ କମିଟି ବୈଠକ ବସିନାହିଁ। ବଡ଼ଦାଣ୍ଡରୁ ଦୋକାନ ହଟିବା ଲାଗି ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଇନାହିଁ। ପୁଲିସ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇନି। ହେଲେ ରଥନିର୍ମାଣ ଜୋରସୋରରେ ଚାଲିଛି। ସେବାୟତଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନ ଅନୌପଚାରିକ ଆଲୋଚନା କରିଛନ୍ତି। ଏପରିକି ମହାପ୍ରଭୁଙ୍କ ପହଣ୍ଡି ଭୋର ୪ଟାରୁ ଆରମ୍ଭ କରିବାକୁ ମଧ୍ୟ ଆଲୋଚନା ହୋଇଛି। ପହଣ୍ଡି ସରିବା ପରେ ରଥଟଣା ପୂର୍ବାହ୍ନ ୧୧ଟା ପୂର୍ବରୁ ଆରମ୍ଭ କରିବାକୁ ନୀତି ନିର୍ଘଣ୍ଟ କରିବାକୁ ପ୍ରସ୍ତାବ ରହିଛି। କିନ୍ତୁ କେହି ବି ମୁହଁ ଖୋଲୁନାହାନ୍ତି ରଥଯାତ୍ରା ହେବ କି ନାହିଁ। ଶ୍ରୀମନ୍ଦିର ପ୍ରଶାସକ ଡ.କ୍ରିଷନ୍ କୁମାର ଏ ସଂପର୍କରେ କୌଣସି ସ୍ପଷ୍ଟ ମନ୍ତବ୍ୟ ରଖିନାହାନ୍ତି। ଯଦିଓ ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ନିଜକୁ ପ୍ରସ୍ତୁତ ରଖିଛନ୍ତି।
ଏଭଳି ସ୍ଥିତି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ବିଚଳିତ କଲାଣି। ସମୁଦାୟ ପ୍ରସ୍ତୁତି ପରେ ଭୁବନେଶ୍ବରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରାକୁ ପ୍ରଶାସନ ଶେଷ ମୁହୂର୍ତରେ ବାତିଲ୍ କରିଦେଇଥିବା ପରିପ୍ରେକ୍ଷୀରେ ସରକାର ପୁରୀରେ ଅନୁରୂପ ନିଷ୍ପତ୍ତି ନେବେନି ତ? ଏଭଳି ଆଶଙ୍କା ବଢ଼ିବାରେ ଲାଗିଛି। ଉଭୟ ହାଇକୋର୍ଟ ଓ କେନ୍ଦ୍ର ସରକାର ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିବାରୁ ଏବେ କରୋନା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କି ନିଷ୍ପତ୍ତି ନେବେ ତା ଉପରେ ଜଗନ୍ନାଥ ପ୍ରେମୀଙ୍କ ନଜର ରହିଛି। ଗୋଟିଏ ମହଲ ଦୃଢ଼ତାର ସହିତ କହୁଛନ୍ତି ଯେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଆଉ ଗୋଟିଏ ମହଲ କିନ୍ତୁ ପ୍ରଶାସନିକ ପ୍ରସ୍ତୁତିକୁ ଲକ୍ଷ୍ୟ କରି ରଥଯାତ୍ରା ହେବ ନାହିଁ ବୋଲି ସଙ୍କେତ ଦେଉଛନ୍ତି। ଫଳରେ ରଥଯାତ୍ରାକୁ ନେଇ ଏଯାଏ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିନାହିଁ।
ସେପଟେ ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ମହାପ୍ରଭୁଙ୍କ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ କରାଯିବ ଏ ନେଇ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ସ୍ତରରେ ବୈଠକ କରାଯାଇଛି। ବିନା ଭକ୍ତରେ ସେବାୟତ, ପୁଲିସଙ୍କୁ ନେଇ ରଥଯାତ୍ରା କରିବା ଲାଗି ଯୋଜନା ଚାଲିଛି। ଏଥର ନବ ଯୌବନ ଦର୍ଶନ ତିନି ଦିନ ପଡୁଛି। ଏଣୁ ନବଯୌବନ ଦର୍ଶନ ଓ ରଥ ଆଜ୍ଞା ମାଳ ବିଜେ ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ପ୍ରସ୍ତାବ ହୋଇଛି। ରଥ ଆଜ୍ଞା ମାଳ ବିଜେ ହେଲେ ରଥଯାତ୍ରା ନିଶ୍ଚିତ ହେବ ବୋଲି କିଛି ଅଧିକାରୀ କହୁଛନ୍ତି। ଯଦି ସରକାର ସଙ୍କେତ ଦେବେ, ତେବେ ବଡ଼ଦାଣ୍ଡରୁ ଦୋକାନ ହଟାଯିବ। ଏନେଇ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା ହୋଇଥିବା ଜଣାପଡିଛି। ବଡ଼ଦାଣ୍ଡ, ଗୁଣ୍ଡିଚା ମନ୍ଦିର, ଶ୍ରୀମନ୍ଦିର ଅଞ୍ଚଳରେ ମନ୍ଦିର ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଇବା ପାଇଁ ଯୋଜନା କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/ratha-kama-2.jpg)