ରାତି ପାହିବ, ଜଗା ଆସିବ… ଅପେକ୍ଷାରେ ତିନି ରଥ… ବଡ ଠାକୁରଙ୍କୁ ଚାହିଁ ରହିଛି ବଡଦାଣ୍ଡ । ରଥ, ପଥ, ପ୍ରସ୍ତୁତ କରି କାଳିଆ ସାଆନ୍ତର ଆସିବା ବାଟକୁ ଅନାଇ ବସିଛି ଶ୍ରୀକ୍ଷେତ୍ର

587

କନକ ବ୍ୟୁରୋ: ରାତି ପାହିଲେ ରଥଯାତ୍ରା । ବଡଦେଉଳରୁ ବଡଦାଣ୍ଡକୁ ଓହ୍ଲାଇବେ ବଡ ଠାକୁର । କରୋନା କଟକଣା ପାଇଁ କାଳିଆର ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ମନା କରିଥିବା ବେଳେ ଆଜି ଲୀଳାମୟ ଠାକୁର ସରା ଦୁନିଆକୁ ନିଜ କରିସ୍ମା ଦେଖାଇଛନ୍ତି । କୋଟି କୋଟି ଭକ୍ତଙ୍କ କାନ୍ଦ ଓ ଲୁହର ମୂଲ୍ୟ ଆଜି ମହାବାହୁ ଦେଇଛନ୍ତି । କିଏ କହୁଛି କାଳିଆ ଆମ କଥା ରଖିଲା, କିଏ କହୁଛି ଜଗା ଆଜି ଆମକୁ ଜିତେଇ ଦେଲା । ଏମିତି କିଏ କେତେ କଥା କହି କାଳିଆ ସାଆନ୍ତକୁ ସମ୍ବୋଧନ କରୁଛି…

ଗାଁ ଗାଁ, ଗଳି ଗଳି, ଛକ ବଜାରରେ ଆଜି ଲୋକଙ୍କ ମନରେ ଏକ ଅପୂର୍ବ ଚମକ । ଅବର୍ଣ୍ଣନୀୟ ଆନ୍ଦନ । କାଳିଆ କଥା କହିଲା ବେଳେ କିଏ କାନ୍ଦି ପକାଉଥିଲା ତ କିଏ ଖୁସିରେ ନାଚି ଯାଉଥିଲା । ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ଆଜି ଏମିତି କିଛି ଥିଲା ଓଡିଶାର ଦୃଶ୍ୟ ।

ସେପଟେ ଠାକୁରଙ୍କ ଆସିବା ବାଟକୁ ଚାହିଁ ରହିଛି ବଡଦାଣ୍ଡ । ସିଂହଦ୍ୱାର ସମ୍ମୁଖରେ ତିନି ଦିଅଁଙ୍କ ଅପେକ୍ଷାରେ ରହିଛି ତିନି ରଥ । କେତେବେଳେ ଭାଇ ଭଉଣୀ ବଡଦେଉଳରୁ ବାହାରି ବଡଦାଣ୍ଡକୁ ଆସିବେ ଆଉ ତାଙ୍କ ଉପରେ ବସିବେ ସେହି ଅପେକ୍ଷା ନେଇ ରାତିକୁ ଶୀଘ୍ର ପାହିଯିବାକୁ କହୁଛନ୍ତି ୩ ରଥ । ରାତି ପାହି, ସକାଳ ହେଲେ ଜଗା ଆସିବ, ରଥରେ ବସିବ ଆଉ ସାରା ବିଶ୍ୱ ଦେଖିବ ବିଶ୍ୱ ନିଅନ୍ତାଙ୍କ ସହାସ୍ୟ ବଦନ ।

ତେବେ ନଜର ପକାନ୍ତୁ ଆସନ୍ତାକାଲି ରଥଯାତ୍ରା ପାଇଁ କଣ ହୋଇଛି ନୀତି ନିର୍ଘଂଟ । ଭୋର ୩ଟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ମଙ୍ଗଳ ଆଳତି । ୩ଟା ୧୫ରେ ହେବ ମଇଲମ, ୩ଟା ୩୦ରେ ହେବ ତଡପ ଲାଗି, ୪ଟାରେ ରୋଷହୋମ ହେବ । ତାପରେ ୪ଟା ୩୦ରେ ହେବ ଅବକାଶ ନୀତି, ୪ଟା ୪୫ରେ ହେବ ସୂର୍ଯ୍ୟ ପୂଜା । ସକାଳ ୫ଟାରେ ହେବ ଦ୍ୱାରପାଳ ପୂଜା ଓ ଠାକୁରଙ୍କ ବେଶ ଶେଷ ହେବ । ୫ଟା ୩୦ ରୁ ୬ଟା ୪୫ ପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ହୋଇ ଠାକୁରଙ୍କ ପାଖରେ ଖେଚୁଡି ଭୋଗ ଲାଗି ହେବ । ୬ଟା ୪୫ରେ ରଥ ପ୍ରତିଷ୍ଠା କାର୍ଯ୍ୟ ଓ ମଙ୍ଗଳାର୍ପଣ ହେବ ।

ସେହିପରି ୭ଟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହଁଣ୍ଡି । ୧୦ଟାରେ ପହଁଣ୍ଡି ଶେଷ ହେବ । ୧୦ଟାରୁ ୧୦ଟା ୩୦ ମଧ୍ୟରେ ମଦନ ମୋହନ ବିଜେ ନୀତି ଅନୁଷ୍ଠିତ ହେବ । ୧୦ଟା ୩୦ରୁ ୧୧ଟା ମଧ୍ୟରେ ଚିତା ଲାଗି , ୧୧ଟାରୁ ୧୧ଟାରୁ ୩୦ ବେଶ ଶେଷ, ୧୧ଟା ୩୦ ରୁ ୧୨ଟା ୧୫ ମଧ୍ୟରେ ଛେରାପହଁରା, ୧୧ଟା ୪୫ରୁ ୧୨ ଟା ୩୦ ମଧ୍ୟରେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବ । ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ । ରଥଟଣା ଶେଷ ହେବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ।