ବିଶ୍ୱ ଦେଖିଲା ‘ଶ୍ରୀକ୍ଷେତ୍ର’ ଶୃଙ୍ଖଳା । ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଆରମ୍ଭ ହୋଇଥିଲା ମିଶନ ରଥଯାତ୍ରା, ସଟଡାଉନ୍ ଭିତରେ ସୁରୁଖୁରୁରେ ସମ୍ପନ୍ନ ହେଲା ମହାପଭୁଙ୍କ ଗୁଣ୍ଡିଚାଯାତ୍ରା ।

1,241

କନକ ବ୍ୟୁରୋ : ମାତ୍ର ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା ପାଇଁ ଆରମ୍ଭ ହୋଇଯାଇଥିଲା ମିଶନ । ପୁରା ପ୍ରଶାସନ ଓ ସରକାର ଲାଗି ପଡିଥିଲେ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ପାଇଁ । ସାରା ସହରକୁ ସଟଡାଉନ୍ କରିଦିଆଯାଇଥିଲା । ଏବଂ ବଡଦାଣ୍ଡକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ କରାଯାଇଥିଲା । ପୁରୀର ଗଳି ଗଳିରେ ଜଗିରହିଥିଲା ପୋଲିସ ।
ରଥ ଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେବା ପରେ ଆରମ୍ଭ ହୋଇଯାଇଥିଲା ମିଶନ ରଥଯାତ୍ରା । କାରଣ ଏହି ପ୍ରସଙ୍ଗ ଏତେ ସମ୍ବେଦନଶୀଳ ଥିଲା ଯେ ଠିକଭାବେ ଏହା ଅନୁଷ୍ଠିତ ନ ହୋଇପାରିଲେ ସାରା ରାଜ୍ୟ ଏବଂ ଦେଶରେ ପ୍ରତିକ୍ରିୟା ସୃଷ୍ଟି ହେବାର ଆଶଙ୍କା ରହିଥିଲା ।

ସୁପ୍ରିମକୋର୍ଟଙ୍କ ଠାରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଆସିବା ପରେ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ କାମ ଆରମ୍ଭ କରିଦେଇଥିଲେ । କାରଣ ହାତରେ ମାତ୍ର ଅଳ୍ପ କେଇ ଘଂଟା ସମୟ ଥିଲା । ଏତିକି ସମୟ ମଧ୍ୟରେ ସରକାରଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଂଜ ଥିଲା କୋଭିଡ କଟକଣା ଭିତରେ କେମିତି ରଥଯାତ୍ରାକୁ ସୂଚାରୁରୂପେ ତୁଲାଇବେ ।

ରଥଯାତ୍ରାର ସଠିକ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଇନମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବଂ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କୁ ପୁରୀରେ କ୍ୟାମ୍ପ କରିବା ପାଇଁ ବାହାରିପଡିଲେ । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବଂ ପୁଲିସ ଡିଜି ଅଭୟ ମଧ୍ୟ ପୁରୀରେ କ୍ୟାମ୍ପ ପାଇଁ ବାହାରିସାରିଥିଲେ । ସେବାୟତଙ୍କ କୋଭିଡ ପରୀକ୍ଷା ହେବା ସହିତ ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ କୌଣସି ଭକ୍ତ ବଡଦାଣ୍ଡକୁ କିପରି ଆସିପାରିବେ ନାହିଁ ସେନେଇ ପଦକ୍ଷେପ ନିଆଗଲା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ସରକାର ପୁରୀକୁ ସୋମବାର ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ଯାଏଁ ସଟଡାଉନ ଘୋଷଣା କରିଦେଲେ । ପୁରୀ ଜିଲ୍ଲାର ଲୋକମାନଙ୍କୁ ବଡଦାଣ୍ଡକୁ ନଆସିବା ପାଇଁ ରାତାରାତି ଘୋଷଣା କରାଗଲା । ପୁରୀରେ ସମସ୍ତଙ୍କ ପ୍ରବେଶ ଉପରେ ଲାଗି ହୋଇଗଲା କଟକଣା ।

କୋଭିଡ କଟକଣା ଭିତରେ ଆଜି ପହଣ୍ଡି ସମୟରେ ଦଇତାପତି ସେବାୟତମାନେ ସାମାଜିକ ଦୂରତା ନରଖିଲେ ବି ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିଲେ ଏବଂ ପାଖରେ ସାନିଟାଇଜର ରଖିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ଘଂଟୁଆମାନେ ମଧ୍ୟ ସାମାଜିକ ଦୂରତା ରକ୍ଷା କରି ଘଂଟ ବଜାଉଥିଲେ । ସୁପ୍ରିମକୋର୍ଟ ରଥଯାତ୍ରା ହେବା ନେଇ ଘୋଷଣା କରିବା ଆଉ ରଥ ଗଡିବା ମଧ୍ୟରେ ଥିବା କିଛି ଘଂଟା ମଧ୍ୟରେ ବେଶ ତତ୍ପରତାର ସହିତ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହେବା ସହିତ ରଥ ଗଡିଥିଲା ବଡଦାଣ୍ଡରେ । ଆଉ ପହଂଚିଥିଲା ଗୁଣ୍ଡିଚା ମନ୍ଦିରରେ ।