କନକ ବ୍ୟୁରୋ : ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନଃର୍ବିଚାର ପାଇଁ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଚିଠି ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ଯେମିତି ହେଉ ପୁରୀ ରଥଯାତ୍ରା କରିବା ପାଇଁ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରିଛନ୍ତି ଗଜପତି । ଗତକାଲି ପରିଚାଳନା କମିଟି ଓ ଛତିଶାନିଯୋଗ କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଆଧାରରେ ଚିଠି ଲେଖିଛନ୍ତି ଗଜପତି । ଏଥିପାଇଁ ରଥଯାତ୍ରା ନକରିବା ପାଇଁ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହାର ପୁନର୍ବିଚାର ଲାଗି ରାଜ୍ୟ ସରକାର ପୁଣି ଥରେ ସୁପ୍ରିମକୋର୍ଟ ଯିବାକୁ ଅନୁରୋଧ କରିଛନ୍ତି ।
ଚିଠିରେ ବିଭିନ୍ନ ପୂରାଣ ଓ ଇତିହାସର ଉଦାହରଣ ଦେଇ ରଥଯାତ୍ରାର କିଭଳି ସ୍ୱାତାନ୍ତ୍ର୍ୟ ରହିଛି ତାହା ଦର୍ଶାଇଛନ୍ତି । ଏଥିସହ କହିଛନ୍ତି ଜଗନ୍ନାଥ ଅବତାର ନୁହଁନ୍ତି, ସେ ଅବତାରୀ । ମହାପ୍ରଭୁ ତାଙ୍କର ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ବର୍ଷକରେ ଥରେ ବଡଦାଣ୍ଡକୁ ଆସିଥାନ୍ତି । ତେଣୁ ପୁରୀ ଜଗନ୍ନାଥଙ୍କ ମୂଳପୀଠ । ସେଠାରେ ରଥଯାତ୍ରା ବନ୍ଦ କରିବା ଠିକ୍ ନୁହେଁ । ଶ୍ରୀମନ୍ଦିରର ରେକର୍ଡ ଅଫ ରାଇଟସ ଅନୁଯାୟୀ ରଥଯାତ୍ରା ହେବାକୁ ବାଧ୍ୟ । ଅତୀତରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ସମୟରେ ରଥଯାତ୍ରା ବନ୍ଦ ହୋଇନଥିଲା । କେବଳ ମୋଗଲ ଆକ୍ରମଣ ବେଳେ ଅସମ୍ଭବ ସ୍ଥିତିରେ ରଥଯାତ୍ରା ବନ୍ଦ ହୋଇଥିଲା । ଆଇନତଃ ପରିଚାଳନା କମିଟି ପ୍ରତିବର୍ଷ ରଥଯାତ୍ରା କରିବାକୁ ବାଧ୍ୟ ।