ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଲେ, ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଲେ । କହିଲେ ଘଡିସନ୍ଧି ମୁହୂର୍ତ୍ତରେ ଘୋଷଯାତ୍ରା ହେଉଥିବାର ସାରା ବିଶ୍ୱର ନଜର ଆମ ଉପରେ ରହିବ ।

877

କନକ ବ୍ୟୁରୋ: ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ପରେ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟ ଜଗନ୍ନାଥ କହି ସୁପ୍ରିମକୋର୍ଟଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ବି ମୁଖ୍ୟମନ୍ତ୍ରୀ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।

ରଥଯାତ୍ରା ପାଇଁ ରାଜ୍ୟ ସରକାର ଏବଂ ମନ୍ଦିର ପ୍ରଶାସନ ପୂରା ପ୍ରସ୍ତୁତି କରିଛନ୍ତି । ଠିକ ସମୟରେ ରଥ ଅନୁକୂଳ ଓ ନିର୍ମାଣ ସରିଛି । ଠାକୁରଙ୍କର ସବୁ ରୀତିନୀତି ସଠିକ ଚାଲିଛି । ତେଣୁ ସେବାୟତଙ୍କୁ ବି ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ କରୋନା ଭିତରେ ମହାବାହୁଙ୍କ ରଥଯାତ୍ରା କରିବା ଏକ ଚାଲେଞ୍ଜ । କୋଭିଡ ନିୟମ ମାନି ରଥଯାତ୍ରାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ଅତି ସାବଧାନତାର ସହ କରିବାକୁ ପଡିବ । ରଥଯାତ୍ରା ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ କର୍ମକର୍ତ୍ତା ନିମ ପାଳନ କରିବେ ବୋଲି ଆଶା । ରଥଯାତ୍ରାରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବି ଧ୍ୟାନ ଦେବାକୁ ପଡିବ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାରା ବିଶ୍ୱର ନଜର ଏବେ ଆମ ଉପରେ ରହିବ । ଶୃଙ୍ଖଳାର ସହ ସାମାଜିକ ଦୂରତା ମାନି କୋଭିଡ ଗାଇଡଲାଇନ ପାଳନ କରି ଠାକୁରଙ୍କ ସବୁ କାମ କରି ସାରା ବିଶ୍ୱରେ ନିଦର୍ଶନ ସୃଷ୍ଟି କରିବାକୁ ପଡିବ ବୋଲି ନବୀନ କହିଛନ୍ତି ।

ସେପଟେ ରଥଯାତ୍ରା ସୁରୁଖୁରରେ କେମିତି ପାଳନ ହେବ ପରିଚାଳନା ପାଇଁ ୩ ମନ୍ତ୍ରୀଙ୍କ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ । ନିଳାଦ୍ରୀବିଜେ ଯାଏଁ ପୁରୀରେ କ୍ୟାମ୍ପ କରି ସେମାନେ ସମସ୍ତ ତଦାରଖ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ପୁରୀବାସୀଙ୍କୁ କରୋନା ନିୟମ ପାଳନ କରିବାକୁ ନବୀନ ନିବେଦନ କରିଛନ୍ତି । ସମସ୍ତ କାମ ମହାପ୍ରଭୁଙ୍କ ଇଚ୍ଛା ଉପରେ ହେଉଛି ବୋଲି ଶେଷରେ ନବୀନ ଓଡିଶାବାସୀଙ୍କୁ କହି ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି ।