ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଦୁଇ ବର୍ଷ ପରେ ଭକ୍ତଙ୍କୁ ଭେଟିବେ ଭଗବାନ

148

କନକ ବ୍ୟୁରୋ : ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଜନ୍ମବେଦୀକୁ ଯିବେ ମହାପ୍ରଭୁ । ରଥ ପ୍ରସ୍ତୁତ , ପଥ ପ୍ରସ୍ତୁତ, ଭକ୍ତ ପ୍ରସ୍ତୁତ । ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି, ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ଭକ୍ତ । ବଡ଼ଦାଣ୍ଡ ପୁଣିଥରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି କୋଳାହଳରେ ପୂରିଉଠିବ । ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେବେ । ପାଖରୁ ଦର୍ଶନ କରି କାଳିଆ ସାଆନ୍ତଙ୍କ ସ୍ପର୍ଶ ଲଭିବେ ଲକ୍ଷ ଲକ୍ଷ ଭକ୍ତ । ଏଥିପାଇଁ ଉଭୟ ରଥ-ପଥ ପ୍ରସ୍ତୁତ ହୋଇସାରିଛି ।

ସେପଟେ ଦୁଇବର୍ଷ ଧରି ଭକ୍ତଙ୍କ ରଥଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତବର୍ଷ ୧୫ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ପ୍ରାଥମିକ ଆକଳନ କରାଯାଇଛି । ସେହି ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ୧୮୦ ପ୍ଲାଟୁନ ଫୋର୍ସ, ୧ହଜାର ପୁଲିସ ଅଧିକାରୀଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ବ ନ୍ୟସ୍ତ କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ରଥ ପ୍ରତିଷ୍ଠା ନାତି ଚାଲିଛି । ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୧୨ଟାରେ ପହଣ୍ଡି ଶେଷ ହେବ । ଅପରାହ୍ନ ସାଢ଼େ ୧୨ଟାରୁ ଗୋଟାଏ ଭିତରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିବେ ।

ସାଢ଼େ ୧ଟାରୁ ୨ଟା ଭିତରେ ଚିତା ଲାଗି, ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ବେଶ ଶେଷପରେ ସାଢ଼େ ୨ଟାରୁ ଛେରା ପହଁରା ଆରମ୍ଭ ହେବ । ସାଢ଼େ ୩ଟା ସୁଦ୍ଧା ଛେରା ପହଁରା ସରିବା ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ୩ଟାରୁ ୪ଟା ଭିତରେ ଶେଷପରେ ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ଅନୁଷ୍ଠିତ ହେବ । ପରଦିନ ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ ।