ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଲା: କେବଳ ରାଜ୍ୟରେ ନୁହେଁ, ରାଜ୍ୟ ବାହାରେ ଧୁମଧାମରେ ରଥଯାତ୍ରା ପାଳନ

104

କନକ ବ୍ୟୁରୋ: ଭଜନ ,ସଂକୀର୍ତନ, ଘଂଟନାଦରେ କମ୍ପି ଉଠୁଛି ପରିବେଶ । ସବୁଠି ଖାଲି ବାସୁଛି କାଳିଆ କାଳିଆ । ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି । ଭାବ ବିନୋଦିଆ କାଳିଆ ଠାକୁର ଭାଇ ଭଉଣୀଙ୍କ ସହ ତିନି ରଥରେ ବିଜେ ହୋଇ ସାରା ଦୁନିଆକୁ ଦର୍ଶନ ଦେଇଛନ୍ତି । ବଡ ଦେଉଳରୁ ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ବଡ ଠାକୁର । ବଡ ଠାକୁର ବଳଭଦ୍ର, କାଳିଆ ସାଆନ୍ତ, ଗେହ୍ଲି ଭଉଣୀ ସୁଭଦ୍ରା ଓ ସୁଦର୍ଶନ ରତ୍ନ ବେଦୀ ଛାଡି ୯ ଦିନ ପାଇଁ ଜନ୍ମ ବେଦୀକୁ ଆସିଛନ୍ତି । ପୁରୀରେ ୨ ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତି । କେବଳ ପୁରୀରେ ନୁହେଁ ପୁରପଲ୍ଲୀରୁ ଆରମ୍ଭ କରି ସହରର କୋଣ ଅନୁକୋଣରେ ହେଉଛି ପ୍ରସିଦ୍ଧ ରଥଯାତ୍ରା ।

କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ରଥଯାତ୍ରାକୁ ଖୁବ ଧୁମଧାମରେ ରଥଯାତ୍ରା ପାଳନ କରୁଛନ୍ତି ଭକ୍ତ । କାଳିଆ ପ୍ରେମରେ ପାଗଳ ହୋଇ ନିଜକୁ ସମର୍ପି ଦେଇଛନ୍ତି କାଳିଆ ପାଖେ । ସେହିପରି ଅହମଦାବାଦ ଠାରେ ମଧ୍ୟ ଖୁବ ଧୁମଧାମରେ ପାଳିତ ହୋଇଛି ରଥଯାତ୍ରା । ଅହମଦାବାଦ ଠାରେ ୧୪୫ ତମ ରଥଯାତ୍ରା କଡ଼ା ସୁରକ୍ଷାରେ ପାଳନ କରଯାଇଛି । ଭକ୍ତଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରୀ ପଟେଲ ସକାଳୁ ପହଣ୍ଡି ବିଜେ ଠାରୁ ଝେରା ପହଁରା ଆଦି ପ୍ରତ୍ୟେକ ବିଧିରେ ଉପସ୍ଥିତ ରହି କାଳିଆର ଜୟଗାନ କରିଛନ୍ତି । ସେହିପରି କୋଲକାତାର ବିଭିନ୍ନ ସ୍ଥାନରେ ରଥଯାତ୍ରାକୁ ଧୁମଧାମରେ ପାଳନ କରାଯାଇଛି । କରୋନା କଟକଣା ଯୋଗୁଁ ୨ ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ରଥରେ ବିଜେ ହୋଇ ଭକ୍ତଙ୍କୁ ଭାବବିହ୍ୱଳ କରି ପକାଇଛନ୍ତି ଚତୁର୍ଦ୍ଧାମୂର୍ତି । କୋଲକାତାର ଇସ୍କନ, ମାୟାପୁର ଓ ସେରମପୁରର ଆଦି ସ୍ଥାନରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତ ଏକାଠି ହୋଇ ରଥଯାତ୍ରା ପାଳନ କରିଛନ୍ତି ।

ସେହିପରି ରାଜସ୍ଥାନର ଉଦୟପୁର ଓ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରସିଦ୍ଧ ରଥଯାତ୍ରାକୁ ଭକ୍ତମାନେ ରୀତିନୀତି ଅନୁସାରେ ଧୁମଧାମରେ ପାଳିଛନ୍ତି । କାଳିଆର ଲୀଳାରେ ସବୁମୋହ ମାୟା, ଧନୀ ଗରିବ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଚତୁର୍ଦ୍ଧାମୂର୍ତିକୁ ଦର୍ଶନ କରିଛନ୍ତି । କାଳିଆ ଡ଼ୋରିରେ ସମସ୍ତେ ବନ୍ଧା । କେବଳ ରାଜ୍ୟରେ ନୁହେଁ ରାଜ୍ୟ ବାହାରେ ମଧ୍ୟ କାଳିଆ ଭାବରେ ଭାବବିହ୍ୱଳ ଭକ୍ତବୃନ୍ଦ । ଦୀର୍ଘ ୨ ବର୍ଷ ପରେ କାଳିଆକୁ ରଥରେ ଦେଖି ନିଜକୁ ଧନ୍ୟ ମନେ କରିଛନ୍ତି ଭକ୍ତ ।