ପୁଣେର ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପ୍ରବାସୀ ଓଡିଆଙ୍କୁ ସାମିଲ ହେବାକୁ ଆୟୋଜକଙ୍କ ଆମନ୍ତ୍ରଣ

58

କନକ ବ୍ୟୁରୋ : ଆଉ ଦିନ ଦୁଇଟା ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ ଶ୍ରୀଜିଉ । ରଥଯାତ୍ରା ପାଇଁ ପଲ୍ଲୀରୁ ଦିଲ୍ଲୀ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । କେବଳ ପୁରୀରେ ନୁହେଁ ପୂରା ଭାରତ ସମେତ ବିଶ୍ୱରେ ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରେ ପ୍ରବଳ ଉତ୍ସାହ । ଦେଶର କୋଣ ଅନୁକୋଣରେ ରହୁଥିବା ଲକ୍ଷ ଲକ୍ଷ ଓଡିଆ ରଥଯାତ୍ରାକୁ ବେଶ ଧୂମଧାମରେ ପାଳନ କରିଥାନ୍ତି । ରଥଯାତ୍ରା ସମୟରେ ଦେଶ ଓ ବିଦେଶରେ ଏକାଠି ହୋଇଥାନ୍ତି ଲକ୍ଷ ଲକ୍ଷ ଓଡିଆ । ଠିକ୍ ସେହିଭଳି ପୁନେରେ ରହୁଥିବା ପ୍ରବାସୀ ଓଡିଆ ମାନେ ମଧ୍ୟ ଗତ ୩ ବର୍ଷ ଧରି ଧୂମଧାମରେ ପାଳନ କରୁଛନ୍ତି ରଥଯାତ୍ରା । ପୁଣେରେ ପାଳନ ହେଉଥିବା ଏହି ରଥଯାତ୍ରାରେ ଏକାଠି ହୋଇଥାନ୍ତି ହଜାର ହଜାର ଜଗନ୍ନାଥ ପ୍ରେମୀ ।

ପୁନେରେ ଥିବା ଜଗନ୍ନାଥ ମନ୍ଦିର ପକ୍ଷରୁ ଗତ ୩ ବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହେଉଛି । ରଥଯାତ୍ରା ସମୟରେ ପୁଣେରେ ରହୁଥିବା ଓଡିଆ ଭାଇ ଓ ଭଉଣୀ ମାନେ ଏକାଠି ହୋଇଥାନ୍ତି । ପୂର୍ବବର୍ଷ ରଥଯାତ୍ରା ମଧ୍ୟ ୭୦୦୦ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ । ଚଳିତ ବର୍ଷ ମଧ୍ୟ ଏଠାରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୁଣେ ସହରରେ ପ୍ରାୟ ୨ ଲକ୍ଷ ଓଡିଆ ଭାଇ ଭଉଣୀ ମାନେ ବସବାସ କରୁଛନ୍ତି । ତେଣୁ ସମସ୍ତଙ୍କୁ ଏହି ରଥଯାତ୍ରାରେ ଯୋଗ ଦେବା ପାଇଁ ଆୟୋଜକ ମାନେ ଅନୁରୋଧ କରିଛନ୍ତି ।