ବଡ଼ଦାଣ୍ଡ ପାଲଟିଲା ଚିଲିକାର ଅଥଳ ଜଳରାଶି। ନନ୍ଦିଘୋଷ ରଥ ପାଲଟିଲା ଡଙ୍ଗା।

465

କନକ ବ୍ୟୁରୋ: ଅଥଳ ଜଳରାଶି ପାଲଟିଲା ବଡ଼ ଦାଣ୍ଡ । ଆଉ ସେହି ବଡ଼ଦାଣ୍ଡରେ ରଥ ପାଲଟିଲା ଡଙ୍ଗା । ଖୋର୍ଦ୍ଧା ଜିଲ୍ଲାର ଖଇରୀର ପ୍ରସିଦ୍ଧ କାଙ୍କଣ ଶିଖରୀ । ଏହା ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ । ସକାଳ ୧୦ଟାରେ ହୋମ ଓ ଯଜ୍ଞ ସହ ତିନି ଠାକୁରଙ୍କ ନୀତିକାନ୍ତି ହୋଇଥିଲା । ୧୨ଟା ୩୦ଟାରେ ପହଣ୍ଡି ବିଜେ କରାଯାଇ ରଥ ଉପରକୁ ମହାପ୍ରଭୁଙ୍କ ନିଆଯାଇଥିଲା । ଏହା ପରେ ତିନି ଠାକୁରଙ୍କୁ ମନ୍ଦିର ଚାରିପଟେ ପରିକ୍ରମା କରାଯାଇଥିଲା । ପରେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଡଙ୍ଗାରେ ବିରାଜମାନ ହୋଇ ତିନି ଠାକୁର ରଥରେ ଯାତ୍ରା କରିଥିଲେ ।

କୁହାଯାଏ, ମୋଗଲ ନାଏବ୍ ତକି ଖାଁ ଯେତେବେଳେ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିଥିଲେ, ସେତେବେଳେ ଦଇତାପତିମାନେ ପ୍ରଭୁ ଜଗନ୍ନାଥଙ୍କୁ ପାରିକୁଦର ଗୁରୁବାଇକୁ ନେଇଥିଲେ । ୨୦୧୩ ମସିହା ଠାରୁ ଏଠାରେ ସ୍ୱତନ୍ତ୍ର ମନ୍ଦିର ନିର୍ମାଣ କରିବା ସହ ରଥଯାତ୍ରା ଆରମ୍ଭ ହୋଇଥିଲା । ସେବେଠାରୁ ଚିଲିକା ଜଳ ରାଶି ମଧ୍ୟରେ ଡଙ୍ଗା ଦ୍ୱାରା ଠାକୁରମାନଙ୍କର ଜଳଯାତ୍ରାରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଏଠାରେ ହଜାର ହଜାର ଭକ୍ତଙ୍କର ସମାଗମ ହେଉଥିବା ପରିଲକ୍ଷିତ ହେଉଛି । ଭକ୍ତଙ୍କ ପାଇଁ ଏଠାରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲେ । ବିଶେଷକରି ପ୍ରଶାସନିକ ଅଧିକାରୀ ଓ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହୋଇଥିଲା ।

ସେପଟେ ସୁବର୍ଣ୍ଣପୁର ପାତାଳୀ ଶ୍ରୀକ୍ଷେତ୍ରରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । କୋଟସମଲାଇର ଛଳିଆ ପାହାଡ଼ର ଶ୍ରୀମନ୍ଦିରରୁ ଘୋଷଯାତ୍ରାରେ ବାହାରିଥିଲେ ଭାଇଭଉଣୀଙ୍କ ସହ ଶ୍ରୀଜଗନ୍ନାଥ । ସବୁଜ ବନାନୀ ପରିବେଷ୍ଟିତ ଛଳିଆ ପାହାଡ଼ର ଉପରୁ ପହଣ୍ଡି ବିଜେ କରିଥିଲେ ତିନି ଠାକୁର ଆଗରେ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା ଓ ପଛରେ କାଳିଆ ଠାକୁର । ଏହାରି ଭିତରେ ହରିବୋଲ, ହୁଳୁହୁଳି, ଘଂଟଘଂଟା ଓ ସଂର୍କୀତନରେ କମ୍ପି ଉଠିଥିଲା ଏହି ପାବନ କ୍ଷେତ୍ର । ତିନି ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।
ଏପଟେ କାଙ୍କଣ ଶିଖରୀରୁ ବାହାରି ତିନି ଠାକୁର ଜଳ ଭିତରେ ନୌକାରଥରେ ବିରାଜମାନ ହୋଇ ପୁଣି ସେଠାକୁ ଫେରିଆସିଥିଲେ ।