ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା : ଶ୍ରୀଜିଉଙ୍କ ଆଗେଇ ଚାଲିଛି ନୀତିକାନ୍ତି

181

କନକ ବ୍ୟୁରୋ : ଆଜି ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା । ବଡଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ରତ୍ନବେଦୀରୁ ବଡଦାଣ୍ଡକୁ ଓହ୍ଲାଇବେ ପ୍ରଭୁ । ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର । ଘୋଷଯାତ୍ରା ପାଇଁ ରଥ-ପଥ-ଭକ୍ତ ପ୍ରସ୍ତୁତ ।  ଶ୍ରୀଜିଉଙ୍କ ଆଗେଇ ଚାଲିଛି ନୀତିକାନ୍ତି । ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଅବକାଶ, ସୂର୍ଯପୂଜା, ଦ୍ୱାରପାଳ, ବେଶ ଶେଷ, ଗୋପାଳବଲ୍ଲଭ, ସକାଳ ଧୂପ ସହ ଅନ୍ୟାନ୍ୟ ନୀତି ବଢ଼ିବାପରେ ସାଢ଼େ ୯ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ‌ହେବ ।

ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ । ବହୁସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇଉଠିଲାଣି ପୂଣ୍ୟଭୂମି ଶ୍ରୀକ୍ଷେତ୍ର । ଟିକେ ସ୍ପର୍ଶ ପାଇଁ ମହାପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ରଥ ତ୍ରୟ।

ଚୂଡ଼ାନ୍ତ ନୀତି ଅନୁଯାୟୀ, ମଙ୍ଗଳବାର ସକାଳ ୬ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି ଓ ଅବକାଶ, ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହୋଇ ୮ଟାରୁ ୯ଟା ଖେଚୁଡ଼ି ଭୋଗ ହେବ । ପରେ ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବ । ୯ଟା ୧୫ରେ ମଙ୍ଗଳାର୍ପଣ ପରେ ଖୁଣ୍ଟିଆ ‘ମଣିମା’ ଡାକ ଦେବା ସହିତ ଆରମ୍ଭ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି। ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୧୨ଟାରେ ପହଣ୍ଡି ଶେଷ ହେବ ।

ଅପରାହ୍ନ ସାଢ଼େ ୧୨ଟାରୁ ଗୋଟାଏ ଭିତରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିବେ । ସାଢ଼େ ଗୋଟାଏରୁ ୨ଟା ଭିତରେ ଚିତା ଲାଗି, ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ବେଶ ଶେଷ ପରେ ସାଢ଼େ ୨ଟାରୁ ଛେରାପହଁରା ଆରମ୍ଭ ହେବ। ସାଢ଼େ ୩ଟା ସୁଦ୍ଧା ଛେରା ପହଁରା ଶେଷ ହେବ । ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ୩ଟାରୁ ୪ଟା ଭିତରେ ଶେଷ ହେବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ଅନୁଷ୍ଠିତ ହେବ । ପରଦିନ ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ ।