‘ରଥଯାତ୍ରା’କୁ ନେଇ ଆସିଲା ବଡ ଖବର । ଚଳିତ ବର୍ଷ ବିନା ଭକ୍ତରେ ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ତିନି ରଥ । ବିଶ୍ୱ ପ୍ରସିଦ୍ଧ ‘ଘୋଷଯାତ୍ରା’କୁ ନେଇ ସୁପ୍ରିମ ରାୟ ଶୁଣାଇଲେ ସର୍ବୋଚ୍ଚ ନ୍ୟାୟାଳୟ

2,212

କନକ ବ୍ୟୁରୋ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଆସିଲା ସୁପ୍ରିମ ରାୟ । ପୂର୍ବ ନିଷ୍ପତିକୁ ବଦଳାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଚଳିତ ବର୍ଷ ପୁରୀରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ମିଳିଲା ଅନୁମତି । ବିନା ଭକ୍ତରେ ବଡଦାଣ୍ଡରେ ରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ । ପ୍ରଧାନବିଚାରପତିଙ୍କ ୩ ଜଣିଆ ଖଣ୍ଡପୀଠରେ ପୁରୀରେ ରଥଯାତ୍ରା ନେଇ ସବୁଜ ସଂକେତ ଦେଇଛନ୍ତି ।

ଚଳିତ ବର୍ଷ ବଡଦାଣ୍ଡରେ ବିନା ଭକ୍ତରେ ଗଡିବ ତିନିଠାକୁରଙ୍କ ତିନି ରଥ । ରଥଯାତ୍ରା ଆୟୋଜନ ଉପରେ ପୂର୍ବରୁ ଲଗାଇଥିବା ରୋକ ଉପରେ ପୁନଃବିଚାର କରି ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହମତି କ୍ରମେ ଏବଂ ସାଢେ ୪ କୋଟି ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ଚଳିତ ବର୍ଷ ପୁରୀରେ ବିନା ଭକ୍ତରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠ । ସୁପ୍ରିମକୋର୍ଟ କହିଛନ୍ତି ଯେ, ରଥଯାତ୍ରା ସମୟରେ ବଡଦାଣ୍ଡରେ ନିର୍ଧାରିତ ସେବାୟତ ଛଡା ସାଧାରଣ ଭକ୍ତଙ୍କ ପ୍ରବେଶ ନିଷେଧ । ସେହିଭଳି ରଥଯାତ୍ରା ସମୟରେ ଯେଭଳି କୌଣସି ଜାଗାରେ ଭିଡ ନଜମିବ ସେଥିପ୍ରତି ବି ଗୁରୁତ୍ୱ ଦେବାକୁ ସୁପ୍ରିମକୋର୍ଟ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି । ସେହିପରି କେବଳ ପୁରୀରେ କଟକଣା ଯୁକ୍ତ ରଥ ଗଡିବା ନେଇ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟ କେଉଁ ଜାଗାରେ ବି ରଥଯାତ୍ରା ହେବ ନାହିଁ ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ସେପଟେ, ସ୍ନାନ ଯାତ୍ରା ଭଳି ରଥ ଯାତ୍ରାର ମଧ୍ୟ ଲାଇଭ ଟେଲିକାଷ୍ଟ ହେବ । ଅର୍ଥାତ୍ ଭକ୍ତମାନେ ଘରେ ବସି ତିନି ଠାକୁରଙ୍କ ରଥଯାତ୍ରାର ସିଧା ପ୍ରସାରଣ ଦେଖିପାରିବେ । ଯଦିଓ ବଡଦାଣ୍ଡରେ ମହାପ୍ରଭୁଙ୍କ ସିଧାସଳଖ ଦେଖିବାର ସୌଭାଗ୍ୟ ମିଳିବନି ତଥାପି କିନ୍ତୁ ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ସୁପ୍ରିମ ରାୟ ଆସିବା ପରେ ଭକ୍ତଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ତେବେ କରୋନା କଟକଣା ମଧ୍ୟରେ ରଥଯାତ୍ରାରେ କେଉଁ ସବୁ ଦିଗ ଉପରେ ଗୁରୁତ୍ୱ ଦିଆଯିବ । କଣ ସବୁ ନିୟମାବଳୀ ରହିବ ସେ ସଂକ୍ରାନ୍ତରେ ଆଜି ସଂଧ୍ୟାରେ  ବସୁଥିବା ବୈଠକରେ ନିର୍ଧାରଣ କରାଯିବ ।