କୋଭିଡ କଟକଣା ଭିତରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜ୍ଞାମାଳ ବିଜେ ପରେ ଆଜି ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ ।

ଆସନ୍ତାକାଲି ସକାଳ ସାଢ଼େ ୮ଟାରେ ଆରମ୍ଭ ହେବ ପହଣ୍ଡି

120

କନକ ବ୍ୟୁରୋ: ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ସିଂହଦ୍ୱାର ସାମ୍ନାରେ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି ତିନି ରଥ । ରାତି ପାହିଲେ ବିନା ଭକ୍ତରେ ଘୋଷ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୁରତୀ । ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଯାତ୍ରାରେ, ଜନ୍ମବେଦୀକୁ ଯାତ୍ରା କରିବେ ବିଶ୍ୱନିୟନ୍ତା । ଯେଉଁଥିପାଇଁ ସକାଳେ ଆଜ୍ଞାମାଳ ବିଜେ ହେବା ପରେ ରଥଖଳାରୁ ତିନି ରଥଙ୍କୁ ସିଂହଦ୍ୱାର ଆଗକୁ ଟାଣି ଆଣିଛନ୍ତି ସେବାୟତ ।

ସୋମବାର ରଥ ଉପରେ କନକମୁଣ୍ଡି ସ୍ଥାପନ ଓ ରଥ ପ୍ରତିଷ୍ଠା ପରେ ଧାଡ଼ି ପହଣ୍ଡିରେ ରଥାରୂଢ଼ ହେବେ ଚତୁର୍ଦ୍ଧା ବିଗ୍ରହ । ସକାଳେ ମଙ୍ଗଳଆଳତି, ମଇଲମ ଆଦି ନୀତି ପରେ ୬.୩୦ରୁ ୭.୩୦ ମଧ୍ୟରେ ଅନୁଷ୍ଠିତ ହେବ ଗୋପଳ ବଲ୍ଲଭ ଓ ସକାଳଧୂପ । ୮ଟାରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ପରେ ୮ଟା.୩୦ରୁ ୧୧ଟା ୩୦ ମଧ୍ୟରେ ଧାଡ଼ି ପହଣ୍ଡି ଶେଷ ହେବ ।

ପୁରୀ ସହରରେ ଆଜି ରାତି ୮ଟାରୁ ୧୩ ତାରିଖ ୮ ତାରିଖ ଯାଏଁ କର୍ଫ୍ୟୁ ଜାରି ରହିବ । ରଥଯାତ୍ରାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରହିବ ପୁରୀ ସହର । ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ସହ ସାଧା ପୋଷାକଧାରୀ ପୁଲିସ୍ ନିୟୋଜିତ ରହିବେ । ସୁରକ୍ଷା ଦୃଷ୍ଟିରୁ ବଡ଼ଦାଣ୍ଡକୁ ୪ଟି ଜୋନ୍ ଏବଂ ସହରକୁ ୧୨ଟି ଜୋନ୍ରେ ବିଭକ୍ତ କରାଯାଇଛି ।

ବିନାଭକ୍ତରେ ରଥଯାତ୍ରା ହେଉଥିବାରୁ ଭକ୍ତମାନେ ଯେଭଳି ବଡ଼ଦାଣ୍ଡ ଆସିବେ ନାହିଁ ସେଥିପାଇଁ ଗଳିକନ୍ଦିରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସେହିଭଳି, ଶ୍ରଦ୍ଧାଳୁମାନେ ଯେଭଳି ନିଜ ଛାତ ଓ ବାଲକୋନୀକୁ ଯିବେ ନାହିଁ, ତା ଉପରେ ମଧ୍ୟ ପୁଲିସ୍ ପ୍ରଶାସନର ନଜର ରହିବ । କରୋନା କାଳରେ ହେଉଥିବା ମହାପ୍ରଭୁଙ୍କ ଘୋଷଯାତ୍ରାରେ ଗତବର୍ଷ ଭଳି ଏବର୍ଷ ମଧ୍ୟ କଟକଣା ଲାଗିଛି । ତେଣୁ ଘରେ ରହି ଟିଭି କିମ୍ବା ଡିଜିଟାଲ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।