ନବଦିନାତ୍ମକ ଯାତ୍ରାରେ ଶ୍ରୀଜିଉ : ଟାହିଆ ହଲେଇ ଆଗେ ଆଗେ ଆସିଲେ ବଡଭାଇ, ପଛରେ ଆସୁଛନ୍ତି କାଳିଆ ଗୋସାଇଁ

80

କନକ ବ୍ୟୁରୋ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ଚତୂର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି । ପ୍ରଥମ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀ ବଳଦେବଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡି ନୀତିରେ ସେବାୟତ ମାନେ ପ୍ରଭୁ ଶ୍ରୀ ବଳଦେବଙ୍କୁ ରତ୍ନବେଦୀରୁ ରଥକୁ ଘେନି ଆଣିଛନ୍ତି । ପ୍ରଭୁ ବଳଭଦ୍ର ଇତି ମଧ୍ୟରେ ରଥାରୁଢ଼ ହୋଇସାରିଛନ୍ତି । ଏହା ପୂର୍ବରୁ ଶ୍ରୀସୁଦର୍ଶନ ରଥ ଉପରେ ବିରାଜମାନ କରିସାରିଛନ୍ତି ।

ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଶ୍ରୀନଅରରୁ ଝୁଲିଝୁଲି ରଥରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟରେ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଶ୍ରୀନଅରରୁ ପହଣ୍ଡିରେ ବାହାରିବେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ  ପହଣ୍ଡିରେ ବାହାରିବେ । ଶେଷରେ ଭକ୍ତଙ୍କୁ ନ ପାଇ ମନକୁ ମାରି ରତ୍ନବେଦୀରୁ ଓହ୍ଲାଇ ଆସିବେ ଶ୍ରୀ ଶ୍ରୀ ଜଗନ୍ନାଥ, ତଥାପି ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥଆଡକୁ ଅଗ୍ରସର ହେବେ ।

ପହଣ୍ଡି ଦୁଇ ଭାଗରେ ବିଭକ୍ତ ଯଥା:- ଧାଡି ପହଣ୍ଡି ଓ ଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ । ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ । ଏହି ଦୁଇ ପ୍ରକାରର ପହଣ୍ଡି କେବଳ ବିଗ୍ରହ ମାନଙ୍କୁ ପହଣ୍ଡି ସମୟରେ ଘୁଞ୍ଚାଇବାର ତରୀକା ବ ଢଙ୍ଗକୂ ବୁଝାଇଥାଏ । ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ବାହୁ ଥିବାଯୋଗୁଁ ଦୁଇ ବିଗ୍ରହଙ୍କୁ ସମୟ ସମୟରେ ଭୂମିକୁ ଛୁଆଁଇ କରି ପହଣ୍ଡି କରାଯାଇଥାଏ । କିନ୍ତୁ ଦେବୀ ସୁଭଦ୍ର ଓ ସୁଦର୍ଶନଙ୍କ ବାହୁ ନଥିବା ଯୋଗୁଁ ସେମାନଙ୍କୁ ଶାଇତ ରୂପେ ବୁହାଇ ପହଣ୍ଡି କରାଯାଇଥାଏ ।