ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନେଇ ତେଜିଲା ରାଜନୀତି । ସଂସ୍କୃତି ଓ ପରମ୍ପରା ବଜାୟ ରଖିବାକୁ ବିଜୟ ମହାପାତ୍ରଙ୍କ ଦାବି, ରଥ ଉପରେ ନୀତିକାନ୍ତି କରିବା ସପକ୍ଷରେ ରଖିଲେ ମତ

77

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାକୁ ନେଇ ରାଜ୍ୟ ସରାକାର ସବୁଜ ସଂକେତ ମିଳିବା ପରଠାରୁ ଯେଉଁ ଆଶଙ୍କା କରାଯାଉଥିଲା ସେଇଆ ହୋଇଛି । ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ବଳଦେବଜିଉ ଏବଂ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି ଜୋର ଧରିଛି । ବାରିପଦାରେ ଲୋକ ରାସ୍ତାକୁ ଓହ୍ଲାଇ ଦାବି କରିଥିବା ବେଳେ କେନ୍ଦ୍ରପଡ଼ା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ସେବାୟତ ।

ଆଉ ଏସବୁ ଭିତରେ ରଥଯାତ୍ରାକୁ ନେଇ ରାଜନୀତି ଆରମ୍ଭ ହୋଇଛି । କରୋନା କଟକଣା ଭିତରେ ଶ୍ରୀକ୍ଷେତ୍ର ଭଳି କେନ୍ଦ୍ରାପଡା ଓ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା କରିବାକୁ ଦାବି ପରେ ପ୍ରସଙ୍ଗ ଆହୁରି ତେଜିଛି । ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାଇ କୋଭିଡ୍ କଟକଣାରେ ପୁରୀ ଭଳି ରାଜ୍ୟର ପାଂଚଟି କ୍ଷେତ୍ରରେ ରଥ ଉପରେ ଠାକୁରଙ୍କ ନୀତି ସମ୍ପାଦାନ କରିବାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି । ବିଜୟଙ୍କ ଏହି ଦାବିକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ବିରୋଧ କରିଛନ୍ତି । ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ସଂକ୍ରମଣ ବଢ଼ିଲେ କିଏ ଦାୟୀ ରହିବ ।

କରୋନା ଯୋଗୁଁ ଗତବର୍ଷ ଭଳି ଏଥବର୍ଷ ମଧ୍ୟ ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆଉ ଏହି ନିଷ୍ପତି ପରେ କେନ୍ଦ୍ରାପଡ଼ା ଓ ବାରିପଦାରେ ରଥଯାତ୍ରା କରିବା ପାଇଁ ସେବାୟତ ଓ ସ୍ଥାନୀୟ ବାସିନ୍ଦା ଦାବି କରି ଆସୁଛନ୍ତି ।