ଅଶ୍ରୁଳ ନୟନରେ ଭଗବାନଙ୍କୁ ଭକ୍ତର ପ୍ରଶ୍ନ…କି ପାପ ହେଲା ପ୍ରଭୁ? ଟାଣି ମୁଁ ପାରୁନି ତୁମ ନନ୍ଦିଘୋଷ, ଯାଇପାରୁନି ତୁମ ବଡଦାଣ୍ଡ ।

165

କନକ ବ୍ୟୁରୋ: କି ପାପ ହେଲା ପ୍ରଭୁ, କେଉଁ ଭୁଲର ଦଣ୍ଡ ଦେଉଛ । ଅଶ୍ରୁଳ ନୟନରେ ବ୍ୟାକୁଳ ହୋଇ ଶ୍ରଦ୍ଧାଳୁ, ଭଗବାନଙ୍କୁ ଏଭଳି କିଛି ପ୍ରଶ୍ନ କରୁଛି । ଚକା ନୟନକୁ ଦେଖିବା ପାଇଁ ଭକ୍ତ ଆଖିରୁ ଝରୁଥିବା ଲୁହ ପଛରେ ରହିଛି, ଠାକୁରଙ୍କୁ ଦେଖିବାର ଆତୁରତା, ରଥ ଟାଣିବାର ବ୍ୟାକୁଳତା । ହେଲେ ଭକ୍ତକୁ ଭଗବାନଠାରୁ ଦୂରେଇ ଦେଇଛି ଭୂତାଣୁଆଉ ଭାବ ବିହ୍ୱଳ ହୋଇ ଦୂରରୁ ନେହୁରା ହୋଇଛନ୍ତି ଭକ୍ତ ।

ଶ୍ରୀକ୍ଷେତ୍ରରେ ଘର, କିଛି ଦୂରରେ ଶ୍ରୀମନ୍ଦିର । ହେଲେ କେଇ ପାହୁଣ୍ଡ ଚାଲି ତିନିଠାକୁରଙ୍କୁ ଦେଖି ପାରୁନାହାନ୍ତି ଶ୍ରଦ୍ଧାଳୁ । ପୁରୀରେ ଘର, ଜଗନ୍ନାଥ ନିଜ ଠାକୁର ବୋଲି ଗର୍ବରେ କହୁଥିବା ପୁରୀବାସୀ, ଏବେ ଛାତିର କୋହକୁ ଚାପି ଘର ପାଖରେ ହାତଟେକି ମହାବାହୁକୁ ଗୁହାରି ଜଣାଇଛନ୍ତି ।

ବଡ଼ଦାଣ୍ଡରେ ରଥ ଗଡ଼ିଛି ସତ । ଭାଇ-ଭଉଣୀକୁ ନେଇ ଠାକୁର ଘୋଷଯାତ୍ରା କରିଛନ୍ତି । ହେଲେ, ଦୁର୍ଯୋଗ କୁହନ୍ତୁ ବା ଦୁର୍ଭାଗ୍ୟ ଘରେ ଭିତରେ ରହି, ଟିଭିରେ ରଥ ଦେଖିବାକୁ ପଡୁଛି । ଘରର ଚାରିକାନ୍ଥ ଭିତରେ ଆଉଜି ହୋଇ ମନମାରି ବସିଛନ୍ତି ଶ୍ରଦ୍ଧାଳୁ ।ଏଥର ଭକ୍ତ ଆଶା ବାନ୍ଧି ବସିଥିଲା, ସ୍ଥିତି ସୁଧରିବ । ଭୁତାଣୁ ଚାଲିଯିବା ପରେ ଭକ୍ତ, ଭଗବାନଙ୍କ ନିକଟର ହେବ । କିନ୍ତୁ ଗତବର୍ଷ ସ୍ଥିତି ଯାହା ଥିଲା, ଉଣାଅଧିକେ ଏଥରର ବି ସମାନ ସ୍ଥିତି ଜାରି ରହିଛି ।