ଏବେ ବି ଦ୍ୱନ୍ଦ୍ୱରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ । ଆଜି ସୁପ୍ରିମକୋର୍ଟରେ ହେବ ରଥଯାତ୍ରା ବନ୍ଦ ପିଟିସନର ଶୁଣାଣି : କୋର୍ଟଙ୍କ ନିଷ୍ପତିକୁ ସମସ୍ତଙ୍କ ଅପେକ୍ଷା 

157

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ କି ନାହିଁ, ଏହାର ନିଷ୍ପତି ଆଜି ହେବାର ସମ୍ଭାବନା ରହିଛି । ଏନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଆଜି ଶୁଣାଣି ହେବ । ଓଡିଶା ବିକାଶ ପରିଷଦ ସମେତ ପାଖାପାଖି ୭ଟି ଆବେଦନ କୋର୍ଟଙ୍କ ନିକଟରେ ରହିଛି । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସଏ ବୋବ୍ଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ହୃଷିକେଶ ରାୟଙ୍କ ତିନିଜଣିଆ ଖଣ୍ଡପୀଠ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଶୁଣାଣି କରିବେ ।

ଓଡିଶା ବିକାଶ ପରିଷଦ ପକ୍ଷରୁ ଦାଖଲ ହୋଇଥିବା ରିଟ୍ ପିଟିସନ୍ ସହ ଅନ୍ୟ ୨ଟି ପିଟିସନ୍ର ମଧ୍ୟ ମିଳିତ ଭାବେ ଶୁଣାଣି ହେବାର ସମ୍ଭାବନା ରହିଛି । ପୂର୍ବରୁ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କର ରଥଯାତ୍ରା ଆୟୋଜନକୁ ନେଇ ଓଡିଶା ହାଇକୋର୍ଟ ରାୟ ଶୁଣାଇ ସାରିଥିବାରୁ ସୁପ୍ରିମକୋର୍ଟ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ଉପରେ ରଥଯାତ୍ରା ନିଷ୍ପତି ଛାଡିସାରିଛନ୍ତି । ଏପରିକି ହାଇକୋର୍ଟ ମଧ୍ୟ ନିଜ ରାୟରେ କହିଛନ୍ତି ଯେ, ସ୍ଥିତି ଦେଖି ରାଜ୍ୟ ସରକାର ରଥଯାତ୍ରା ନିଷ୍ପତି ନେବେ ।