ପାତାଳୀ ଶ୍ରୀକ୍ଷେତ୍ର, ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା। ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ।

99

କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ରରେ ବି ପାଳିତ ହୋଇଛି ରଥଯାତ୍ରା । କୋଟସମଲାଇର ଛଳିଆ ପାହଡ଼ର ଶ୍ରୀମନ୍ଦିରରୁ ବାହାରିଥିଲା ତିନିଠାକୁର । ତେଣୁ ପ୍ରାୟ ୨୦୦ ଫୁଟ ତଳକୁ ଧାଡ଼ି ପହଣ୍ଡିରେ ବିଗ୍ରହମାନେ ଆସି ରଥାରୁଢ଼ ହୋଇଥିଲେ । ଘୋଷଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ୧୪୪ ବର୍ଷ ତଳେ ମହାପ୍ରଭୁ ପାତାଳୀ ହୋଇଥିଲେ । ୧୨ ବର୍ଷ ତଳେ ପୁରୀ ଶ୍ରୀମନ୍ଦିର ଦେଇଥିବା ୩ ବିଗ୍ରହଙ୍କୁ ଛଳିଆ ପାହାଡ଼ରେ ପ୍ରତିଷ୍ଠା କରାଯାଇଥିଲା । ସେହିଦିନ ଠାରୁ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ରୀତିନୀତିରେ ପାଳନ କରାଯାଉଛି ଏହି ରଥଯାତ୍ରା ।

ସେହିପରି କୋରାପୁଟର ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାକୁ ପୁରିଛି ୫୦ ବର୍ଷ । ହରିବୋଲ ହୁଳହୁଳ ସାଙ୍ଗକୁ ବାଜା-ବାଜଣା, ଘଂଟଘଂଟା ଧ୍ୱନୀରେ ପ୍ରକମ୍ପିତ ହୋଇଛି ପୁରା ପରିବେଶ । ରତ୍ନସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ନିର୍ଧାରିତ ସମୟ ମଧ୍ୟରେ ଧାଡି ପହଣ୍ଡିରେ ଚତୁର୍ଧାମୁରତି ଆସି ରଥାରୂଢ ହୋଇଥିଲେ । ପରମ୍ପରା ଅନୁଯାୟୀ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ପହଣ୍ଡି ବିଜେ ପରେ ୩ ରଥରେ ୩ ଜଣ ଆଦିବାସୀ ଗାଁ ମୁଖିଆ ଛେରା ପହଁରା କରିଥାନ୍ତି । ଏହାପରେ ଶବର ସମ୍ପ୍ରଦାୟର କୋଣ୍ଡା ଦୋରା ଅଣିଥିବା ପଣସ ,ଆମ୍ବ, ସପୁରି ଫଳକୁ ପ୍ରଥମେ ଭୋଗ ଲାଗି କରାଯାଇଥିଲା । ପରେ ରଥରେ କୋରାପୁଟ ଜିଲ୍ଲାର ୩୦ରୁ ଉର୍ଦ୍ଧ୍ୱ ଆଦିବାସୀ ଗାଁର ନାୟକଙ୍କୁ ଶିରିପା ବନ୍ଧାଯାଇ ସମ୍ମାନୀତ କରାଯାଇଥିଲା ।