କନକ ବ୍ୟୁରୋ : ଗତବର୍ଷ ଭଳି ଚଳିତବର୍ଷ ବି ଭକ୍ତ ଓ ମହାପ୍ରଭୁଙ୍କ ମଧ୍ୟରେ କରୋନା ବାଧକ ସାଜିଛି। ବଡ଼ଦାଣ୍ଡକୁ ମହାପ୍ରଭୁ ଆସିଲେ ବି ଭକ୍ତ ଦର୍ଶନ କରିପାରିବେନି କି ରଥ ଟାଣିପାରିବେନି। କରୋନା ସଂକ୍ରମଣର ଆଶଙ୍କାକୁ ନଜରରେ ରଖି ଏଥର ମଧ୍ୟ ବିନା ଭକ୍ତରେ ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ, ନୀଳାଦ୍ରିବିଜେରେ ପୁରୀ ସହରରେ କର୍ଫ୍ୟୁ ଲାଗିବ।
ଜୁଲାଇ ୧୨ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ସାରା ରାଜ୍ୟରେ ରଥଯାତ୍ରାରେ ହଜାର ହଜାର ରଥ ଗଡ଼ୁଥିଲେ ବି ଏଥର କେବଳ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ରଥ ଗଡ଼ିବ। ଆଉ କେଉଁଠି ରଥଯାତ୍ରା ହେବନି କି ମହାପ୍ରଭୁ ମନ୍ଦିର ବାହାରକୁ ଆସିବେନି। ସବୁ ନୀତିକାନ୍ତି ମନ୍ଦିର ଭିତରେ ହେବ ବୋଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି।
ରାଜ୍ୟରେ ଏବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ବିଶେଷଜ୍ଞମାନେ ମତ ଦେଉଛନ୍ତି ଯେ ଭିଡ଼ ହେଲେ କରୋନା ସଂକ୍ରମଣ ବଢ଼ିବ। ଧାର୍ମିକ କାର୍ଯ୍ୟକ୍ରମରେ ଅଧିକ ଶ୍ରଦ୍ଧାଳୁ ଏକାଠି ହେଲେ ସ୍ଥିତି ଅଣାୟତ୍ତ ହୋଇଯିବ। କିନ୍ତୁ ରାଜ୍ୟ ସରକାର କୋଭିଡ-୧୯ରୁ ପ୍ରତିଟି ଜୀବନକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିବାରୁ ସ୍ନାନଯାତ୍ରାରୁ ଆରମ୍ଭ କରି ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ କଟକଣା ଲଗାଯାଇଛି ବୋଲି ଏସ୍ଆର୍ସି କହିଛନ୍ତି।
ପୁରୀରେ ରଥଯାତ୍ରା ବିଧିରେ ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ସାମିଲ୍ ହେବେନି। ଯେଉଁ ସେବାୟତମାନେ ଦୁଇ ଡୋଜ୍ ଟିକା ନେଇଥିବେ କିମ୍ବା ରଥଯାତ୍ରାର ୪୮ଘଣ୍ଟା ପୂର୍ବରୁ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବେ, ସେମାନେ ହିଁ ଏଥିରେ ସାମିଲ୍ ହୋଇପାରିବେ। ଗତ ବର୍ଷ ଯେଉଁଭଳି ସର୍ବନିମ୍ନ ସେବାୟତଙ୍କୁ ନେଇ ରୀତିନୀତି ହୋଇଥିଲା, ଏଥର ବି ସେହିପରି ହେବ।
ସେହିପରି ରଥ ଟାଣିବା ପାଇଁ ସେବାୟତ, ପୁଲିସ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅନୁମତିପ୍ରାପ୍ତ କର୍ମଚାରୀମାନେ ନିୟୋଜିତ ହେବେ। ଯିଏ ରଥ ଟାଣିବେ, ସେମାନେ ଦୁଇ ଡୋଜ୍ ଟିକା ନେଇଥିବେ ନଚେତ୍ ୪୮ଘଣ୍ଟା ପୂର୍ବରୁ ଟେଷ୍ଟ କରିଥିବା ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବେ। ପ୍ରତି ରଥ ଟାଣିବା ପାଇଁ ସର୍ବାଧିକ ୫୦୦ଜଣ ନିୟୋଜିତ ହେବେ। ରଥ ଟାଣିବା ବେଳେ ସମସ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ।
ରଥଯାତ୍ରା ରୀତିନୀତିରେ ସଂପୃକ୍ତ ସ୍ନାନଯାତ୍ରା, ଗୁଣ୍ଡିଚା ଯାତ୍ରା, ବାହୁଡ଼ା, ନବମୀ ଦର୍ଶନ, ସୁନାବେଶ, ଅଧରପଣା ନୀତି, ନୀଳାଦ୍ରି ବିଜେ ଇତ୍ୟାଦି କେବଳ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ସେବାୟତଙ୍କ ଦ୍ବାରା ହେବ। ଏଥର ରଥଯାତ୍ରା ସମୟରେ ବି ଗଣମାଧ୍ୟମ ସଂସ୍ଥାକୁ ବଡ଼ଦାଣ୍ଡକୁ ଛଡ଼ା ଯିବନି। ରଥଯାତ୍ରାର ସବୁ ରୀତିନୀତିର ସିଧା ପ୍ରସାରଣ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ଟିଭି ଓ ୱେବ୍ ମିଡିଆକୁ କମନ୍ ଫିଡ୍ ଦେବେ। ଏହାସହ ଫଟୋ ଉଠାଯାଇ ମଧ୍ୟ ଦିଆଯିବ।
ରଥଯାତ୍ରାରେ ଯେପରି ଭକ୍ତ ସାମିଲ୍ ହେବେନି, ତାହାକୁ ନିଶ୍ଚିତ କରିବା ପାଇଁ ରଥଯାତ୍ରା ସମୟରେ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦିନରେ ପୁରୀର ସମସ୍ତ ପ୍ରବେଶ ପଥ ଯଥା ରେଳଷ୍ଟେସନ୍, ବସଷ୍ଟାଣ୍ଡ, ରାସ୍ତା, ନଦୀ ଏବଂ ସମୁଦ୍ର ପଥକୁ ବନ୍ଦ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବ। ରଥଯାତ୍ରା ରୀତିନୀତିରେ ଗୁରୁତ୍ବପୂର୍ଣ୍ଣ ଦିନଗୁଡ଼ିକ ବାଦ୍ ଅନ୍ୟ କେଉଁ ଦିନରେ ପୁରୀ ସହରରେ କର୍ଫ୍ୟୁ ଲାଗିବ, ସେ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବ। କର୍ଫ୍ୟୁ ଲାଗିବା ସମୟରେ କେହି ଘରୁ ବାହାରିବେନି, ହୋଟେଲ, ଲଜ୍, ଧର୍ମଶାଳା ଇତ୍ୟାଦିରୁ ବାହାରି ପାରିବେନି। କର୍ଫ୍ୟୁ ଲାଗିଲେ ବି ଆମ୍ବୁଲାନ୍ସ, ଔଷଧ ଦୋକାନ, ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ, ଜଳଯୋଗାଣ, ବିଦ୍ୟୁତ୍ ଯୋଗାଣ, ଟେଲି ଯୋଗାଯୋଗ ଇତ୍ୟାଦିରେ ନିୟୋଜିତ କର୍ମଚାରୀ ଯାତାୟାତ କରିପାରିବେ। ଜରୁରୀକାଳୀନ କାର୍ଯ୍ୟରେ ଲୋକମାନେ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ପୁରୀରୁ ଏବଂ ପୁରୀକୁ ଯାତାୟାତ କରିପାରିବେ। ରଥଯାତ୍ରା ସମୟରେ ଟ୍ରେନ୍, ବସ୍, ଘରୋଇ ଗାଡ଼ି ଇତ୍ୟାଦି ପୁରୀ ସହରକୁ ଛଡ଼ା ଯିବନି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/22-6.jpg)