ଗୁଣ୍ଡିଚାବାଡିରେ ତିନିରଥ: ଆଜି ଆଡପମଣ୍ଡପ ବିଜେ, ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି; କରୋନା ପାଇଁ ଭକ୍ତଙ୍କୁ ମନା ଆଡପଦର୍ଶନ

କରୋନା କଟକଣା ପାଇଁ ଗୁଣ୍ଡିଚାବାଡିରେ କର୍ଫ୍ୟୁ ଜାରି

261

କନକ ବ୍ୟୁରୋ: ପୁରୀରେ ଗୁଣ୍ଡିଚାବାଡିରେ ଲାଗିଛି ତିନି ରଥ । ଏବେ ଅପେକ୍ଷା କରିଛନ୍ତି ମହାପ୍ରଭୁ କେତେବେଳେ ବିଜେ କରିବେ ଜନ୍ମବେଦୀକୁ । ୯ ଦିନିଆ ରଥ ଯାତ୍ରାରେ ବାହାରି ଜଗତ ଠାକୁର ଭାଇ ଭଉଣୀଙ୍କୁ ସାଥୀରେ ଧରି ମାଉସୀ ମା ଘରକୁ ଆସିବା ପରେ ଚଳଚଂଚଳ ହୋଇଉଠିଛି ଜନ୍ମବେଦୀ । ଆଡପମଣ୍ଡପ ବିଜେ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଜି କରୋନା କଟକଣା ମଧ୍ୟରେ ଚତୁର୍ଧାମୂର୍ତି ରଥରୁ ପହଁଣ୍ଡିରେ ବିଜେ କରିବେ ଜନ୍ମବେଦୀ ବା ଆଡପମଣ୍ଡପକୁ । ଏହାପରେ ହୋଇଥାଏ ଆଡପଦର୍ଶନ । ତେବେ କରୋନା କଟକଣା କାରଣରୁ ଚଳିତ ବର୍ଷ ଆଡପଦର୍ଶନକୁ ବନ୍ଦ ରଖାଯାଇଛି । ଆଜି ସକାଳେ ଏହି ପହଁଣ୍ଡି କାମ ସରିବାକୁ ଯୋଜନା ରଖିଛି ପ୍ରଶାସନ । ଅପରାହ୍ନ ୨ଟା ମଧ୍ୟରେ ଏହି ପହଣ୍ଡି ସରିବ । ଏବେ ଜନ୍ମବେଦୀରେ ବିନା ଭକ୍ତରେ ଠାକୁର ୯ ଦିନ ଦର୍ଶନ ଦେବେ । ଆଡପମଣ୍ଡପରେ ସଂଧ୍ୟା ଦର୍ଶନ ପାଇଁ ଭକ୍ତଙ୍କ ଶ୍ରଦ୍ଧା ରହିଥାଏ ।

ତେବେ କରୋନା କଟକଣା କାରଣରୁ ଏହାକୁ ମଧ୍ୟ ବନ୍ଦ ରଖାଯାଇଛି । ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଥିବାରୁ ଚଳିତ ବର୍ଷ ଆଡପଅଭଡା ପ୍ରସ୍ତୁତି ପରିମାଣ କମ୍ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି । ଚଳିତ ବର୍ଷ କରୋନା କଟକଣା କାରଣରୁ ବିନା ଭକ୍ତରେ ବଡଦାଣ୍ଡରେ ରଥ ଗଡିଛି । ମୁହଁରେ ମାସ୍କ ପିନ୍ଧି ରଥ ଟାଣିଥିଲେ ସେବାୟତ । ଶରଧାବାଲିରେ ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୧୫ ସୁଦ୍ଧା ପହଁଚି ଯାଇଥିଲା ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ । ଏହା ପରେ କଡା ସୁରକ୍ଷା ମଧ୍ୟରେ ତିନି ରଥକୁ ଜଗି ରହିଛନ୍ତି ପୋଲିସ ଫୋର୍ସ ।

ସେପଟେ ପ୍ରଶାସନର କଟକଣାକୁ ଶତ ପ୍ରତିଶତ ପାଳନ କରିଛନ୍ତି ଭକ୍ତ ଓ ପୁରୀ ବାସୀ । ଅସୀମ ଧୌର୍ଯ୍ୟ ଓ ନିମୟ ପାଳନ ପ୍ରତି ଶ୍ରଦ୍ଧା ଦେଖାଇ ସମସ୍ତେ ଘରେ କବାଟ ପକାଇ ରହିବା ସହ ଟିଭିରେ ଦେଖିଛନ୍ତି ରଥଯାତ୍ରା । ବଡଦାଣ୍ଡରେ ରଥ ଗଡିଛି କିନ୍ତୁ ଖାଁ ଖାଁ ରହିଥିଲା ବଡ ଦାଣ୍ଡ । ଆଜି ସମାନ ଢଙ୍ଗରେ ଆଡପମଣ୍ଡପ ବିଜେ ନୀତି କରାଯିବ ବୋଲି ଯୋଜନା ରଖିଛି ପୁରୀ ପ୍ରଶାସନ । ରଥ ଟଣା ସରିବା ପରେ ପୁରୀ ଜିଲ୍ଲାରେ ଲାଗିଥିବା ସଟଡାଉନକୁ ପ୍ରତ୍ୟାହାର କରିଛି ପ୍ରଶାସନ । କେବଳ ବଡଶଙ୍ଖ ଠାରୁ ଗୁଣ୍ଡିଚାମନ୍ଦିର ଯାଏଁ ରହିଛି କଟକଣାରେ । ଆଜି ଆଡପମଣ୍ଡପ ବିଜେନୀତି ସରିବା ପରେ ଏହି କଟକଣାକୁ ଆଜି ରାତି ୧୦ଟାରେ ମଧ୍ୟ ପ୍ରତ୍ୟାହାର କରିବାକୁ ସୂଚନା ଦେଇଛି ପ୍ରଶାସନ । ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ରଥ ଯାତ୍ରା ପାଇଁ ସୋମବାର ରାତି ୯ଟାରୁ ବୁଧବାର ରାତି ୧୦ଟା ଯାଏଁ କର୍ଫ୍ୟୁ ଜାରି ହୋଇଥିଲା ।