ବଡ଼ଠାକୁର ଶ୍ରୀ ବଳଦେବଙ୍କ ପରେ ସୁଭଦ୍ରାଙ୍କ ପହଣ୍ଡି ବିଜେ : ଧାଡି ପହଣ୍ଡିରେ ଆସିଲେ ହଦଳୀମୁହିଁ ଦେବୀ ସୁଭଦ୍ରା

162

କନକ ବ୍ୟୁରୋ : ପ୍ରଥମେ ଚକ୍ରରାଜ, ପରେ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସରିଛି । ଧାଡି ପହଣ୍ଡିରେ ଆସିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିଛନ୍ତି ମାଆ ସୁଭଦ୍ରା । ଚକ୍ରରାଜଙ୍କ ପହଣ୍ଡି ସରିବା ପରେ ବଡଠାକୁର ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ବରଷକେ ଥରେ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଭାଇ-ଭଉଣୀଙ୍କୁ ସାଥିରେ ଘେନି ଧାଇଁ ଆସନ୍ତି ବଡଠାକୁର ।

ନଅ ଦିନ କାଳ ଗୁଣ୍ଡିଚା ମନ୍ଦିରରେ ଲୀଳା ଖେଳା ସାରି ପୁଣି ଫେରିଯାଆନ୍ତି ନୀଳକନ୍ଦରକୁ । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିବିଜେ ନୀତି । ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ବଡଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି । ଧାଡି ପହଣ୍ଡିରେ ଶ୍ରୀବିଗ୍ରହଙ୍କୁ ଜଣ ଜଣ କରି ସେବାୟତ ମାନେ ପହଣ୍ଡି କରି ତିନି ରଥକୁ ଆଣୁଛନ୍ତି । ପାରମ୍ପରିକ ଭାବେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ରଥରେ ସ୍ଥାପନା କରାଯିବା ପରେ ବଡ ଭାଇ ତଥା ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କର ପହଣ୍ଡିବିଜେ ନୀତି ଅନୁଷ୍ଠିତ ହୋଇଛି ।

ଶୁକ୍ଳ ଫୁଲରେ ସୁସଜ୍ଜିତ ଟାହିଆ ମସ୍ତକରେ ଧାରଣ କରି ବିଶ୍ବନିୟନ୍ତା ଯେବେ ପାହୁଣ୍ଡ ପକାଇ ଝୁଲିଝୁଲି ରଥ ଉପରକୁ ଆସନ୍ତି, ଏ ଅଲୌକିକ ଦୃଶ୍ୟ ଦେଖି ଲୋକେ ବିଭୋର ହୁଅନ୍ତି । କବି ଜଣାଣ ଗାଆନ୍ତି। ଜ୍ବରରୁ ଉଠିଥିବା ମହାପ୍ରଭୁଙ୍କୁ ଦେଖି ଭକ୍ତ ଆଖି ଛଳଛଳ ହୋଇଯାଏ ।  ସ୍ନାନ ଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ଚତୁର୍ଦ୍ଧାବିଗ୍ରହଙ୍କର ୬ ଥର ପହଣ୍ଡି ନୀତି ଅନୁଷ୍ଠିତ ହୁଏ । ଶ୍ରୀସୁଦର୍ଶନ ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଅନନ୍ୟ। ଦଇତାପତିମାନଙ୍କ କାନ୍ଧ ଓ ହାତରେ ପହଣ୍ଡି ହୋଇ ସ୍ନାନମଣ୍ଡପ ଓ ରଥାରୂଢ଼ ହୁଅନ୍ତି ।

ମାତ୍ର ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଦଇତାପତି ଓ ଅନ୍ୟ ସେବକମାନେ ପାଟ ଡୋରିରେ ଆଗକୁ ପଛକୁ ଧୀରେଧୀରେ ଟାଣି ପହଣ୍ଡି କରାଇଥାଆନ୍ତି । ମହାପ୍ରଭୁ ଝୁଲିଝୁଲି ଆସିବା ବେଳେ ଟାହିଆର ସେଇ ଦୋଳୀୟମାନ ଦୃଶ୍ୟ ଭକ୍ତ ପ୍ରାଣକୁ ବିଭୋର କରେ । ବିଜେ କାହାଳୀ ବାଜିବା ପରେ ଘଣ୍ଟୁଆ, କାହାଳିଆ, ବଜନ୍ତରୀ, ଓଲାର ଓ ଛତାର ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ତାଳରେ ମହାପ୍ରଭୁଙ୍କ ପହଣ୍ଡି ଏହାକୁ ଆହୁରି ଆକର୍ଷଣୀୟ କରାଏ ।