ନୂଆ ଏସଓପିରେ ଚାଲିଛି ଶ୍ରୀମନ୍ଦିରରେ ଜଗା ଦର୍ଶନ : ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

104

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି । ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ନେଇ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି । ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ପ୍ରତ୍ୟେକ ଦିନ ୩ ଅଙ୍କ ଛୁଉଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହା ପାଇଁ ଆଜିଠାରୁ ନୂତନ ମାଗଦର୍ଶିକା ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ ।

ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଭକ୍ତ ଶ୍ରଦ୍ଧାଳୁ ୯୬ ଘଂଟା ଭିତରେ ଅର୍ଥାତ ୪ ଦିନ ଭିତରେ କରାଇଥିବା କୋଭିଡ ନେଗେଟିଭ ରିପୋର୍ଟସାଙ୍ଗରେ ଧରି ଆସିବା ସହ ପରିଚୟ ପତ୍ର ମଧ୍ୟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ହୋଇଥିବା କିଓସ୍କୋରେ ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ନିଜର ଫଟୋଗ୍ରାଫି କରିବା ସହ ହାତକୁ ସାନିଟାଇଜ କରି କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ।

ରାଜ୍ୟ ବାହାରୁ ଯେଉଁ ଭକ୍ତମାନେ କରୋନାର ୨ଟି ପର୍ଯ୍ୟାୟ ଟିକାକରଣ କରିଥିବେ ସେମାନେ ମଧ୍ୟ ବିନା କୋଭିଡ ରିପୋର୍ଟରେ ମନ୍ଦିରକୁ ଯାଇପାରିବେ । ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ଭିତରେ ୩ଟି ଟିମ୍ ରହି ଗାଇଡ଼ଲାଇନକୁ ଅନୁଧ୍ୟାନ କରିବେ । ସେପଟେ ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ରଥ କାଠ ପୁରୀରେ ପହଂଚିଛି । ନୟାଗଡ଼ ବନଖଣ୍ଡ ଅଂଚଳରୁ ୧୩ ଖଣ୍ଡ ଫାଶୀ କାଠ ଆସି ପହଂଚିଛି ।