କନକ ବ୍ୟୁରୋ: ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏହାକୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଂଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱତନ୍ତ୍ର ୨୨ଟି କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯାଇଛି । ଚଳିତ ବର୍ଷ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତି ହୋଇଛି । ରଥଯାତ୍ରା ସମୟରେ ଦିବ୍ୟାଙ୍ଗମାନେ ବଡଦାଣ୍ଡର ଜଗନ୍ନାଥ ବଲ୍ଲଭ ଛାତ ଉପରେ ସ୍ୱତନ୍ତ୍ର ଟେଂଟ୍ କରାଯାଇ ବସିକି ରଥଯାତ୍ରା ଦେଖିବାର ବ୍ୟବସ୍ଥା କରାଯିବ । ଏହା ସହ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତି ହୋଇଛି । ପୁରୀ ସହରରେ ରାସ୍ତାଘାଟ ମରାମତି ଓ ନାଳ ନର୍ଦ୍ଦମା ସଫେଇ କାମ ଶୀଘ୍ର ସାରିବା ପାଇଁ ପୌରସଂସ୍ଥା ଓ ପୂର୍ତ ବିଭାଗକୁ ତାଗିଦ୍ କରିଛନ୍ତି ଜିଲ୍ଲାପାଳ । ଏହା ସହ ଇ-ଅଟୋର ବ୍ୟବହାର ଅଧିକ କରିବା ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରଥଯାତ୍ରା ସମୟରେ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅତିରିକ୍ତ ପୋଲିସ ଡିଜିଙ୍କୁ ଦାୟିତ୍ୱ ଦିଆଯାଇଛି ।ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ସେହିପରି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବଳିଆପଣ୍ଡା ଅଞ୍ଚଳରେ ବିଭିନ୍ନ ହୋଟେଲମାନଙ୍କରେ ବୋରୱେଲରେ ଖାରିପାଣି ଆସୁଥିବା ନେଇ ସୂଚନା ଦେଇଥିଲେ। ଏହି ଅଞ୍ଚଳରେ ପ୍ରାୟ ୫୯ଟି ହୋଟେଲ ବେଆଇନ ଭାବେ ଭୂତଳ ଜଳକୁ ବ୍ୟବହାର କରୁଥିବା ଜଣାପଡ଼ିଛି। ତେଣୁ ସେମାନଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସହରାଞ୍ଚଳରେ କେତେକ ବ୍ୟବସାୟୀ ଭୂତଳ ଜଳକୁ ବ୍ୟବହାର କରି ବଟଲିଂ ପ୍ଲାଣ୍ଟ କରି ପାଣି ବିକ୍ରି କରୁଥିବା ସମ୍ପର୍କରେ ଅଭିଯୋଗ ହେବାରୁ ଏହି ପ୍ଲାଣ୍ଟଗୁଡ଼ିକୁ ବନ୍ଦ କରିଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ସେସୁ ପକ୍ଷରୁ ଚାରିଟି ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ରଥଯାତ୍ରା ସମୟରେ ପୁରୀର ବିଦ୍ୟୁତ ଯୋଗାଣ ନିୟନ୍ତ୍ରଣ କରାଯିବ ବୋଲି ସେସୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି। ପୁରୀରେ ମାତ୍ରାଧିକ ଅଟୋ ଚଳାଚଳ କରୁଥିବା ନେଇ ଅଭିଯୋଗ ହେବାରୁ ଆଗାମୀ ଦିନରେ ସେମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଚର୍ଚ୍ଚା ହୋଇଥିଲା। ରଥଯାତ୍ରା ସମୟରେ ପୁରୀକୁ ୧୮୫ଟି ନୂଆ ଟ୍ରେନ୍ ଚଳାଚଳ କରାଯିବ ବୋଲି ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇ ଥିଲା। ଯାତ୍ରୀମାନଙ୍କ ସୁବିଧା ପାଇଁ ୪ଟି ଅତିରିକ୍ତ ଟିକଟ କାଉଣ୍ଟର ସୃଷ୍ଟି କରାଯାଉଛି। ଟ୍ରେନଗୁଡ଼ିକର ସମୟ ସାରଣୀ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ସାଇନେଜ ମାଧ୍ୟମରେ ସୂଚିତ କରାଯିବ । ସେହିପରି ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ୨୫୦ ଜଣ ଆରପିଏଫ୍ ପୁଲିସ ଯାତ୍ରୀମାନଙ୍କର ସୁରକ୍ଷା ଦିଗରେ କାର୍ଯ୍ୟ କରିବେ।
ପୁରୀରେ ଯାତ୍ରୀମାନଙ୍କ ପାଇଁ ପ୍ରାୟ ୨୫ଟି ପାର୍କିଂ ଅଞ୍ଚଳ ସୃଷ୍ଟି କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପ୍ରାୟ ୧୩୫ ପ୍ଲାଟୁନ୍ ପୁଲିସ ଫୋର୍ସ, ଏକ ହଜାର ଅଫିସର, ୨୫୦୦ ଜଣ ଗୃହରକ୍ଷୀ, ଆଣ୍ଟି ଟେରରିଷ୍ଟ ୱିଙ୍ଗ, ବୋମା ନିଷ୍କ୍ରିୟ ଟିମ୍, ଗୁଇନ୍ଦା ବିଭାଗ ଟିମ୍ ପ୍ରମୁଖ ରଥଯାତ୍ରା ସମୟରେ ନିୟୋଜିତ ହୋଇ ନିଜ ନିଜର କର୍ତ୍ତବ୍ୟ କରିବେ ବୋଲି ଏସପି ଡା. ଷଡ଼ଙ୍ଗୀ ସୂଚନା ଦେଇଥିଲେ। ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ସମୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରୁ ନାଳଗୁଡ଼ିକରୁ ଜାଗୃତି ସହଯୋଗରେ ପଙ୍କ ବାହାର କରାଯାଇଛି। ତେବେ ଆଉ ତିନି ଦିନ ପରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବାକୁ ଥିବା ବେଳେ ଏପର୍ଯ୍ୟନ୍ତ ବଡ଼ଶଙ୍ଖ ଛକଠାରୁ ବାଙ୍କିମୁହାଣ ପର୍ଯ୍ୟନ୍ତ ନାଳରୁ ପଙ୍କ ସଫା ହୋଇନଥିବା ଜଣାପଡ଼ିଥିଲା। ତେଣୁ ଏନେଇ ବୈଠକରେ ରାଜସ୍ୱମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ସମେତ ଜିଲ୍ଲାପାଳ ଓ ଅନ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଆଜିଠାରୁ ଯୁଦ୍ଧକାଳୀନ ପରିସ୍ଥିତିରେ ଏହାକୁ ସଫା କରାଯିବ ବୋଲି ଶ୍ରୀ ତରାଇ ପ୍ରତିଶୃତି ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/02-1.jpg)
/kanak/media/post_attachments/wp-content/uploads/2018/06/vlcsnap-2018-06-06-07h51m47s922-300x240.png)
/kanak/media/post_attachments/wp-content/uploads/2018/06/ratha-yatra-ra-dutiya-samanwaya-meeting-300x115.jpg)
/kanak/media/post_attachments/wp-content/uploads/2018/06/vlcsnap-2018-06-06-07h53m13s603-300x240.png)
/kanak/media/post_attachments/wp-content/uploads/2018/04/88-4-300x205.jpg)