କନକ ବ୍ୟୁରୋ: ଭାରତର ଜଣାଶୁଣା ଉଦ୍ୟୋଗପତି ତଥା ପ୍ରସିଦ୍ଧ ଟାଟା ଗ୍ରୁପ ଅଫ୍ କମ୍ପାନୀର ମାଲିକ ରତନ ଟାଟାଙ୍କୁ ‘ଭାରତ ରତ୍ନ’ରେ ସମ୍ମାନିତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ଏହି ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଦିଲ୍ଲୀ ହାଇକୋର୍ଟ ଗୁରୁବାର ଏହି ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି ।
ଏଥିରେ କେନ୍ଦ୍ର ସରକାରଙ୍କୁ ଉଦ୍ୟୋଗପତି ରତନ ଟାଟାଙ୍କୁ ‘ଭାରତ ରତ୍ନ’ରେ ସମ୍ମାନିତ କରିବାକୁ ନିର୍ଦ୍ଦେଶ ଦେବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ହାଇକୋର୍ଟରେ ଜଷ୍ଟିସ୍ ବିପିନ୍ ସାଙ୍ଘୀ ଏବଂ ଜଷ୍ଟିସ୍ ନବୀନ ଚାୱଲାଙ୍କ ପୀଠ ନିଷ୍ପତ୍ତିି ଶୁଣାଇଛନ୍ତି ଯେ କୌଣସି ବ୍ୟକ୍ତିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଦେବା ପାଇଁ ନିର୍ଦ୍ଦେଶ ଜାରି କରିବା କୋର୍ଟଙ୍କ କାମ ନୁହେଁ । ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି ଯେ, ‘ଏ କିଭଳି ଯାଚିକା ? ସରକାର କାହାକୁ ଭାରତ ରତ୍ନରେ ସମ୍ମାନିତ କରିବେ କି ନାହିଁ ଏହି ନିର୍ଦ୍ଦେଶ ଦେବା କ’ଣ କୋର୍ଟଙ୍କ କାମ?’ ବୋଲି କୋର୍ଟ ଓଲଟା ପ୍ରଶ୍ନ କରିଛନ୍ତି ।
ସାମାଜିକ କର୍ମୀ ରାକେଶ ଏହି ଆବେଦନ କରିଥିଲେ । ନିଜ ଆବେଦନରେ ସେ କହିଥିଲେ ଯେ ରତନ ଟାଟା ‘ଭାରତ ରତ୍ନ’ ର ହକଦାର କାରଣ ସେ ଦେଶର ସେବା କରୁଛନ୍ତି । ଏବଂ ତାଙ୍କ ଜୀବନରେ କୌଣସି ବି ଅଭିଯୋଗ ନାହିଁ । କହିରଖୁଁ , ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା ଏହି ଦାବି ଆରମ୍ଭ କରିଥିଲେ । ରତନ ଟାଟାଙ୍କୁ ଭାରତ ରତ୍ନ ମିଳିବା ଉଚିତ ବୋଲିି ସେ ନିଜର ଏକ ଭିଡିଓରେ କହିଥିଲେ । ହେଲେ ଏନେଇ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ ଖୋଦ୍ ରତନ ଟାଟା । ଏହା ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେ କୌଣସି ବି ପୁରସ୍କାର ପାଇବାକୁ ଇଚ୍ଛା ରଖନ୍ତି ବୋଲି ରତନ ଟାଟା କହିଛନ୍ତି ।