କନକ ବ୍ୟୁରୋ : ଭାରତର ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟାଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ରତନ ଟାଟାଙ୍କୁ ପିଏମ କେୟାର ଫଣ୍ଡର ନୂଆ ଟ୍ରଷ୍ଟି ଭାବେ ଦାୟିତ୍ୱ ମିଳିଛି । ରତନଙ୍କ ସହ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କେ.ଟି ଥୋମାସ ଓ ଲୋକସଭାର ପୂର୍ବତନ ଉପ-ବାଚସ୍ପତି କରିୟା ମୁଣ୍ଡାଙ୍କୁ ପିଏମ କେୟାର୍ସ ଫଣ୍ଡର ଟ୍ରଷ୍ଟି ଭାବେ ଗୁରୁଦାୟିତ୍ୱ ମିଳିଛି । ଏମାନଙ୍କ ବ୍ୟତୀତ ଅନ୍ୟ କିଛି ଜଣାଶୁଣା ତଥା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପରାମର୍ଶଦାତା ଭାବେ ଦାୟିତ୍ୱ ମିଳିଛି । ଏହି ପରାମର୍ଶଦାତା ମଣ୍ଡଳୀରେ ପୂର୍ବ ସିଏଜି ରାଜୀବ ମହର୍ଷି, ଇନଫୋସିସର ପୂର୍ବତନ ନିର୍ଦ୍ଦେଶିକା ସୁଧା ମୂର୍ତ୍ତି, ଇଣ୍ଡିକ୍ରପ୍ସ ଓ ପିରାମଲ ଫାଉଣ୍ଡେସନର ପୂର୍ବତନ ସିଇଓ ଆନନ୍ଦ ଶାହାଙ୍କୁ ଏହି ପରାମର୍ଶଦାତା ମଣ୍ଡଳୀରେ ସାମିଲ କରାଯାଇଛି ।

Advertisment

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ ବସିଥିଲା । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ରହିଥିଲେ । ଏହାସହ ନୂଆ କରି ନିଯୁକ୍ତ ହୋଇଥିବା ସଦସ୍ୟ ମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ମହାମାରୀ କରୋନା ସମୟରେ ଜରୁରୀକାଳୀନ ସହାୟତା ପାଇଁ ପିଏମ କେୟାର୍ସ ଫଣ୍ଡ ଗଠନ ହୋଇଥିଲା । ଏହି ଫଣ୍ଡର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିଛନ୍ତି ।