ମେସିନ୍ ଫେଲ ମାରିଲା, ଏବେ ମଣିଷ ଖୋଳୁଛନ୍ତି ଗାତ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିଛନ୍ତି ରାଟ୍ ହୋଲ ମାଇନିଙ୍ଗ ଟିମ୍ ।

243

କନକ ବ୍ୟୁରୋ: ଦୁଇ ସପ୍ତାହରୁ ଅଧିକ ଦିନ ହୋଇଥିଲେ ବି ଉତ୍ତରକାଶୀ ଟନେଲରେ ଫଶିଥିବା ୪୧ ଜଣ ଶ୍ରମିକଙ୍କୁ ଏଯାଏଁ ଉଦ୍ଧାର କରାଯାଇପାରିନାହିଁ । ସେମାନଙ୍କୁୁ ଉଦ୍ଧାର ପାଇଁ ଆମେରିକାରୁ ଅଗର ମେସିନ ଆସିଥିଲେ ବି ତାହା ବି ମଝିରେ ଫଶିଗଲା । ଏମିତି କେକେ ମେସିନ୍ ବିଫଳ ହେଲାଣି । ଶେଷରେ ମଣିଷ ଆରମ୍ଭ କରିଛନ୍ତି ପାହାଡ ଖୋଳି ଶ୍ରମିକଙ୍କୁ ଉଦ୍ଧାର କରିବା କାମ । ଏହା ଏବେ କରୁଛି
ରାଟ୍ ହୋଲ ମାଇନିଙ୍ଗ ଗ୍ରୁପ୍ ।

ଆମେରିକାର ଅଗର ମେସିନ୍ ଖରାପ ହୋଇଯିବା ପରେ ରେସ୍କ୍ୟୁ ଟିମ୍ ଏବେ ରାଟ୍ ହୋଲ୍ ଟିମର ସାହାରା ନେଇଛନ୍ତି । ଏହି ଟିମ୍ ଏବେ ମାନୁଆଲ ଡ୍ରିଲିଂ କରୁଛି । ଯେଉଁଠୁ ଅଗର ମେସିନ୍ କାମ ଛାଡିଥିଲା ସେଇଠୁ କାମ କରିବା ଆରମ୍ଭ କରିଛି ଏହି ଟିମ୍ । ର୍ୟାଟ୍ ମାଇନିଙ୍ଗ ଟିମ୍ ପାଖାପାଖି ୫ ମିଟର ଯାଏଁ ଖୋଳିସାରିଲେଣି । ସୁଡଙ୍ଗ ଉପର ପାହାଡରୁ ମଧ୍ୟ ମାନୁଆଲ ଡ୍ରିଲିଂ କରାଯାଉଛି । ଏହା ଭିତର ଦେଇ ସୁଡଙ୍ଗ ଭିରତକୁ ୧ ମିଟର ଗୋଲେଇର ପାଇପକୁ ପ୍ରବେଶ କରାଯାଉଛି , ଯାହା ମାଧ୍ୟମରେ ଶ୍ରମିକଙ୍କୁ ବାହାରକୁ ଅଣାଯାଇପାରିବ ବୋଲି କୁହାଯାଉଛି ।

କ’ଣ ଏହି ରାଟ୍ ହୋଲ ଟିମ୍?

ରାଟ୍ ହୋଲ ମାଇନିଙ୍ଗ ଟିମକୁ ଅତି ସଂକୀର୍ଣ୍ଣ ସୁଡଙ୍ଗକୁ ପଠାଯାଏ । ବିଶେଷ କରି କୋଇଲା ଖନନ ପାଇଁ ଶହଶହ ଫୁଟ ତଳକୁ ଏମାନେ ଯାଆନ୍ତି । ବିପଦପୂର୍ଣ୍ଣ ଅଞ୍ଚଳ ବିଶେଷ କରି ମେଘାଳୟର କୋଇଲା ଖଣି ଗୁଡିକରେ ଏମାନଙ୍କୁ ନିୟୋଜିତ କରାଯାଇଥାଏ ।

୨୦୧୪ରୁ ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲ ଶ୍ରମିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ମାଇନିଙ୍ଗ ଖନନ ଉପରେ ବ୍ୟାନ୍ ଲଗାଇଥିଲା । ହେଲେ ବେଆଇନ ଭାବେ ଏବେବି ରାଟ୍ ହୋଲ ଖନନ ଜାରି ରହିଛି । ମେଘାଳୟରେ ପ୍ରତିବର୍ଷ ର୍ୟାଟ ହୋଲ ମାଇନିଙ୍ଗରେ ଏକାଧିକ ଶ୍ରମିକ ନିଜ ଜୀବନ ହରାଉଛନ୍ତି । ଯାହାକୁ ନେଇ ସବୁବେଳେ ବିବାଦ ଲାଗିରହିଛି ।