ଶ୍ରୀମନ୍ଦିର ଗର୍ଭଗୃହରେ ବଢୁଛି ମୂଷାଙ୍କ ଉତ୍ପାତ । ମୂଷା ଧରିବା ପାଇଁ ଲାଗିବ ମେସିନ୍ । ସେବାୟତ କହିଲେ ଏମିତି କଥା…

174

କନକ ବ୍ୟୁରୋ: ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଉତ୍ପାତ ଯୋଗୁଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ଘନଉଛି ବିପଦ । ରତ୍ନ ସିଂହାସନତୁ ଡିଆଁ ମାରୁଛନ୍ତି ବଡ ବଡ ମୂଷା, ଆଉ ଅନ୍ଧାରର ସୁଯୋଗ ନେଇମୂଷା କରୁଛନ୍ତି ଉପଦ୍ରବ । କନକମୁଣ୍ଡି ଚାନ୍ଦୁଆରେ ଘର କରି ରହୁଛନ୍ତି । ମୂଷା ଧରିବାକୁ ପାରମ୍ପରିକ ପଦ୍ଧତି ଆପଣାଯାଉଛି କିନ୍ତୁ ମୂଷା ଧରିବାକୁ ଜଣେ ଦାତା ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି ଏକ ଅତ୍ୟାଧୁନିକ ମେସିନ, ଯାହାର ନାମ ରହିଛି ‘ଆର୍ଥ ଇନୋଭେସନ’ । ଆଉ ଏହାକୁ ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିର ଭିତରେ ଲଗାଯାଇଛି ।

ଏହି ମୂଷା ଧରା ମେସିନର ବିଶେଷତ୍ୱ ହେଲା

  • ଏହା ଏକ ଉଚ୍ଚ କ୍ଷମତାସମ୍ପନ୍ନ ମେସିନ
  • ଏଥିରୁ ଯେଉଁ ଶଦ୍ଦ ବାହାରେ ସେଥିରେ ମୂଷା ଆକର୍ଷିତ ହୁଅନ୍ତି
  • ମୂଷାଙ୍କ କବଳରୁ ମନ୍ଦିରକୁ ୨୪ ଘଣ୍ଟା ସୁରକ୍ଷା ଦେଇପାରିବ
  • ଶହେ ପ୍ରତିଶତ ପରିବେଶ ଅନୁକୂଳ

ତେବେ ଶ୍ରୀମନ୍ଦିର ଭିତରେ ମୂଷା ଧରିବାକୁ ନୂଆ ମେସିନ ଲଗାଯିବାକୁ ନେଇ କିଛି ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନଙ୍କ କହିବା କଥା ହେଲା, ରାତିରେ ମେସିନରୁ ଏକ ବିପ ଶଦ୍ଦ ବାହାରୁଛି । ଆଉ ଏହା ହେଲେ ଠାକୁରଙ୍କ ଶୟନରେ ବାଧା ସୃଷ୍ଟି ହେବ ।

  • ମହାପ୍ରଭୁ ଶୋଇବା ସମୟରେ ଶ୍ରୀମନ୍ଦିର ଅନ୍ଧାର ରହିଥାଏ
  • ଜୟ ବିଜୟ ଦ୍ୱାରଠାରୁ ଗର୍ଭଗୃହ ଅନ୍ଧାର ରହିବା ପରମ୍ପରା ରହିଛି
  • ପରିବେଶ ମଧ୍ୟ ନିସ୍ତଦ୍ଦ ରହିବା ବିଧି ରହିଛି

ଆଉ ମେସିନରୁ ରାତିରେ ଶଦ୍ଦ ବାହାରିଲେ ମହାପ୍ରଭୁ ଶୋଇବାରେ ବାଧା ସୃଷ୍ଟି ହେବ ବୋଲି ସେବାୟତ କହୁଛନ୍ତି । ତେବେ ମୂଷାଙ୍କ ଯୋଗୁଁ ଦାରୁବିଗ୍ରହଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି । ବଡସିଂହାର ବେଶ ପରେ ମୂଷାଙ୍କୁ ଆୟତ୍ତ କରିବାକୁ ସମୟ ସମୟରେ ପ୍ରଶାସନ ପକ୍ଷରୁ ଯନ୍ତା ବସାଯାଇଥାଏ । କିନ୍ତୁ ଏବେ ସେବାୟତଙ୍କ ଅସନ୍ତୋଷ ପରେ ଗର୍ଭଗୃହରେ ଅତ୍ୟାଧୁନିକ ମେସିନ ବସାଯିବ ନା ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।