ଖାଲରେ ଭର୍ତ୍ତି ରସୁଲଗଡ଼ ଶିଳ୍ପାଞ୍ଚଳ : ଅଭିଯୋଗ ହେଉଛି, କେହି ଶୁଣୁନାହାନ୍ତି

34
  • ଅନ୍ଧାର ରାସ୍ତା ଚୋରଙ୍କୁ ସୁହାଉଛି
  • ବର୍ଷ ବର୍ଷ ଧରି ଡ୍ରେନ୍‌ ସଫା ହେଉନି
  • ଇଡ୍‌କୋ ଟିକସ ନେଉଛି, ଇଡ୍‌କୋ ସବୁ କରିବ: ବିଏମ୍‌ସି
  • ରାସ୍ତା ମରାମତି ପାଇଁ ଖର୍ଚ୍ଚ ଆକଳନ ହୋଇଛି: ଇଡ୍‌କୋର ବରିଷ୍ଠ ଅଧିକାରୀ

କନକ ବ୍ୟୁରୋ : ରାଜଧାନୀର ସବୁଠୁ ଖରାପ ଓ ଅତ୍ୟନ୍ତ ବିପଜ୍ଜନକ ରାସ୍ତା ପାଲଟିଛି ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା। ରାସ୍ତା ସାରା ଖାଲି ଖାଲ। ସହରର ପ୍ରମୁଖ ସ୍ଥାନରେ ଏହିଭଳି ଏକ ବିପର୍ଯ୍ୟସ୍ତ ରାସ୍ତା ଅଛି ବୋଲି ଯିଏ ନ ଦେଖିଛି ସେ ବିଶ୍ବାସ କରିପାରିବନି। ଦୁଇ ବର୍ଷରୁ ଅଧିକ ସମୟ ହେଲା ଖାଲଖମାରେ ଭର୍ତ୍ତି ହୋଇଥିବା ଏହି ରାସ୍ତା ମରାମତି ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ବାରମ୍ବାର ଇଡ୍‌କୋ ନିକଟରେ ଅଭିଯୋଗ କରୁଥିଲେ ବି କିଛି ସୁଫଳ ମିଳୁନି। ଶିଳ୍ପ ସଂସ୍ଥାଗୁଡ଼ିକ ଇଡ୍‌କୋରୁ ଜମି ନେଇଥିବାରୁ କେହି ଖୁଲମ୍‌ଖୁଲା ପ୍ରତିବାଦ କରିପାରୁନାହାନ୍ତି। ଇଡ୍‌କୋ କର୍ତ୍ତୃପକ୍ଷ ବି ଚଳୁଛି ତ ଚଳୁଛି; ସେହି ନ୍ୟାୟରେ ଛାଡ଼ି ଦେଇଛନ୍ତି।

ରାଜ୍ୟ ସରକାର ‘ମେକ୍‌ ଇନ୍‌ ଓଡ଼ିଶା’ ଅଭିଯାନରେ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ରିହାତି ଦରରେ ଜମି ଯୋଗାଇବାଠାରୁ ଆରମ୍ଭ କରି ପ୍ଲାନ୍‌ ଅନୁମୋଦନ, ରାସ୍ତା, ବିଦ୍ୟୁତ, ପାଣି ଯୋଗାଣ ସୁବିଧାରେ କରିଦେବେ ବୋଲି କହୁଛନ୍ତି। କିନ୍ତୁ କୌଣସି ସଂସ୍ଥା ଯଦି ରାଜ୍ୟରେ ପୁଞ୍ଜିନିବେଶ କରିବା ପୂର୍ବରୁ ରାଜଧାନୀ ଛାତି ଉପରେ ଥିବା ଏହି ରସୁଲଗଡ଼ ଶିଳ୍ପାଞ୍ଚଳରେ ଥରେ ବୁଲି ଆସିବ, ତେବେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଓ ଶିଳ୍ପସଂସ୍ଥା ପ୍ରତି ଇଡ୍‌କୋର ସହାନୁଭୂତି ସ୍ବଚକ୍ଷୁରେ ଦେଖିପାରିବ। ରସୁଲଗଡ଼ ଶିଳ୍ପାଞ୍ଚଳରେ ଥରେ ପଶିଗଲେ ଲାଗୁଛି ଯେପରି କୌଣସି ଅନୁନ୍ନତ ପାହାଡ଼ିଆ ଅଞ୍ଚଳକୁ ପଶିଗଲା ଭଳି। ଏହି ରାସ୍ତା ଏପରି ସ୍ଥିତିରେ ଅଛି ଗାଡ଼ି ଯେତେ ଆଗକୁ ଗଡ଼ିବ ବିପଦ ସେତେ ବଢ଼ିବ। ଚାଲିକି ଯାଆନ୍ତୁ କି ବାଇକ୍‌ରେ, ଜଣେ ଯେତେ ସତର୍କ ହୋଇ ଗଲେ ବି ଦୁର୍ଘଟଣା ନହେବ ବୋଲି କହିପାରିବନି। ରାଜ୍ୟର ତିନିଟି ପ୍ରମୁଖ ଗଣମାଧ୍ୟମ ସଂସ୍ଥା,‌ ୨୦ରୁ ଅଧିକ ଶିଳ୍ପ ସଂସ୍ଥା ଏବଂ ଏସ୍‌ପ୍ଲାନେଡ୍‌ ମଲ୍‌ର ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଯେ ଏପରି ଦୁରାବସ୍ଥା‌‌‌‌‌‌‌ରେ ଅଛି, କେହି କଳ୍ପନା କରିପାରିବେନି।

ଭାରୀଯାନରୁ ଆରମ୍ଭ କରି ଶତାଧିକ କାର୍‌, ବାଇକ୍‌ ଚଳାଚଳ କରୁଥିବା ଏହି ରାସ୍ତା ଏବେ ରାଜଧାନୀର ଅନ୍ୟତମ ଦୁର୍ଘଟଣାପ୍ରବଣ ରାସ୍ତା ପାଲଟି ଯାଇଛି। ପ୍ରତିଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତାଟିରେ ପ୍ରତି ଦି ଖୋଜରେ ଗୋଟିଏ ଲେଖାଏଁ ବଡ଼ ଖାଲ। ବର୍ଷା ହେଉ କି ନ ହେଉ, ଖାଲରେ ପାଣି ଜମି ରହୁଛି । ରାସ୍ତାରେ ଅଧଫୁଟରୁ ଫୁଟେ ପର୍ଯ୍ୟନ୍ତ ଖାଲ ହୋଇଥିବା ବେଳେ ଖାଲରୁ ବଞ୍ଚିବା ପାଇଁ ଯଦି କେହି ଗାଡ଼ି ବାମକୁ କି ଡାହାଣ ମୋଡୁଛି, ତେବେ ଗାଡ଼ି ଯାଇ ଆଉ କେଉଁ ଗାଡ଼ିରେ ମାଡ଼ ହେଉଛି। କେବଳ ବିପର୍ଯ୍ୟସ୍ତ ରାସ୍ତା ନୁହେଁ, ଅଧା ଶିଳ୍ପାଞ୍ଚଳ ଅନ୍ଧାର। ଇଡ୍‌କୋ କର୍ତ୍ତୃପକ୍ଷ ଆବଶ୍ୟକ ଷ୍ଟ୍ରିଟଲାଇଟ୍‌ ଲଗାଉ ନାହାନ୍ତି କି ବିଏମ୍‌ସି ଲାଇଟ୍‌ ଲଗାଉନି। ଫଳରେ ଏହି ଅଞ୍ଚଳରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି। କେତେବେଳେ କେଉଁ ଶିଳ୍ପ ସଂସ୍ଥାର ଗୋଦାମରୁ ଚୋରି ହୋଇଯାଉଛି ତ କେତେବେଳେ କର୍ମଚାରୀଙ୍କ ଗାଡ଼ି କାଚ ଭାଙ୍ଗି ଲୁଟ୍‌ ହେଉଛି।

ଆଶ୍ଚର୍ଯ୍ୟର ବିଷୟ, ଜିଲ୍ଲା ଶିଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଏହି ଶିଳ୍ପାଞ୍ଚଳରେ ହୋଇଥିଲେ ବି ତାଙ୍କ ନଜରରେ ଏହା କିପରି ପଡ଼ୁନି, ତାହା ଜଣାପଡ଼ୁନି। ଇଡ୍‌କୋ ଜମି ବିକିବା ବେଳେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ବା ଏବେ ଦେଉଛି, ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ତାହା ଏଠାରେ ଜଣାପଡ଼ୁଛି । ଇଡ୍‌କୋ ତା’ କାମ କରୁନି କି ବିଏମ୍‌ସି ବି ତା’ର ମୂଳ କାମ କରୁନି। ଫଳରେ ଏଠାରେ ବିପର୍ଯ୍ୟସ୍ତ ରାସ୍ତା, ମୁକୁଳା ଡ୍ରେନ୍‌, ବିନା‌ ଲାଇଟ୍‌‌ରେ ବିଦ୍ୟୁତ ଖୁଣ୍ଟ ବର୍ଷ ବର୍ଷ ଧରି ଦେଖିବାକୁ ମିଳୁଛି। ଡ୍ରେନ୍‌ ଅଛି କିନ୍ତୁ ସଫା ହେଉନି, ବର୍ଷା ହେଲେ ବର୍ଷା ପାଣି ରାସ୍ତାରେ ଭାସୁଛି। ବିଏମ୍‌ସି ସାରା ରାଜଧାନୀରେ ଡ୍ରେନ୍‌ ସଫା କରୁଥିଲେ ବି ଏହି ଅଞ୍ଚଳରେ ଥରଟିଏ ଡ୍ରେନ୍‌ ସଫା କରିବାକୁ ଆସୁନି।

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଇଡ୍‌କୋ ଶିଳ୍ପ ସଂସ୍ଥାକୁ ଜମି ଦେବା ବେଳେ ସେମାନଙ୍କଠାରୁ ରାସ୍ତା ମରାମତି, ଷ୍ଟ୍ରିଟ ଲାଇଟ୍‌ ଲଗାଇବା ଭଳି ଭିତ୍ତିଭୂମି ପାଇଁ ବି ଅର୍ଥ ନେଉଛି। ରକ୍ଷଣାବେକ୍ଷଣ ବାବଦକୁ ବି ଅର୍ଥ ନେଉଛି। ଶିଳ୍ପାଞ୍ଚଳରେ ଥିବା ସବୁ ଶିଳ୍ପ ସଂସ୍ଥା ଇଡ୍‌କୋକୁ ଟିକସ ଦେଉଛନ୍ତି। ବିଏମ୍‌ସି ତ ସେମାନଙ୍କଠାରୁ ହୋଲଡିଂ ଟିକସ ପାଉନି ତେଣୁ ବିଏମ୍‌ସି କାହିଁକି ସେହି ଅଞ୍ଚଳରେ ଉନ୍ନତୀକରଣ କାମ କରିବ । ରସୁଲଗଡ଼ ଶିଳ୍ପାଞ୍ଚଳର ଦୟନୀୟ ସ୍ଥିତି ନେଇ ଇଡ୍‌କୋର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଏହି ଅଞ୍ଚଳର ରାସ୍ତା ମରାମତି ପାଇଁ ଆମେ ମୁଖ୍ୟାଳୟକୁ ବ୍ୟୟ ଅଟକଳ ପଠାଇଛୁ। ଅର୍ଥ ମିଳିଲେ କାମ ହେବ।

ସୂଚନାଯୋଗ୍ୟ ଯେ ଦୁଇ ବର୍ଷ ତଳେ ରସୁଲଗଡ଼ ଶିଳ୍ପାଞ୍ଚଳର ଶୋଚନୀୟ ରାସ୍ତା ସମ୍ପର୍କରେ ଆମେ ଇଡ୍‌କୋ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ବେଳେ ସେତେବେଳେ ବି ଆମକୁ ସମାନ ଉତ୍ତର ମିଳିଥିଲା। ତେଣୁ କେବେ ରାସ୍ତା ମରାମତି ବ୍ୟୟ ଅଟକଳ ଅନୁମୋଦନ ହେବ ତାହା ଉପରେ ସମସ୍ତଙ୍କ ନଜର। ପୂରା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଏହି ରାସ୍ତାକୁ ନୂଆ କରି ନିର୍ମାଣ ନ କରି କର୍ତ୍ତୃପକ୍ଷ କାହିଁକି ତାଳି ପକା ଭଳି ମରାମତି କରିବାକୁ ଯୋଜନା କରିଛନ୍ତି ତାହା ବି ଜଣାପଡ଼ୁନି।