ସାଇରନ୍ ବାଜିଲେ ବଙ୍କର ଭିତରୁ ଶୁଭୁଛି କୁନି ପିଲାଙ୍କ କାନ୍ଦଣାର ସ୍ୱର । ନିରିହ ନିଷ୍ପାପ କୁନି କୁନି ପିଲା ଦୁନିଆ କଣ ଭଲ ଭାବରେ ବୁଝିନଥିବା ବେଳେ ଯୁଦ୍ଧ ପାଇଁ ବଙ୍କର ଭିତରେ ବନ୍ଦି ହୋଇ ରହିଛନ୍ତି । ଋଷ-ୟୁକ୍ରେନ୍ ଯୁଦ୍ଧକୁ ଦୁଇମାସ ଟପିଲାଣି । କିନ୍ତୁ ଯୁଦ୍ଧବୀରାମର କୌଣସି ଆଶା ଆଶଂକା ଏବେ ଯାଏଁ ଦେଖାଯାଉନାହିଁ । ୟୁକ୍ରେନର ଅନେକ ସହର ଋଷ ତାର କବ୍ଚାକୁ ନେଇଗଲାଣି । ଅନେକ ଲୋକ ପ୍ରାଣ ହରାଇଲେଣି ଆଉ ଅନେକ ଏବେ ବି ଫସି ରହିଛନ୍ତି । ଏହାରି ଭିତରେ ବଙ୍କର ଭିତରୁ କୁନି ପିଲାଙ୍କ ଚିତ୍କାର ସମସ୍ତଙ୍କୁ ବିଚଳିତ କରିଦେଇଛି ।
ମାରିଓପୋଲ ସହର ନିକଟସ୍ଥ ଆଜୋଭସ୍ତାଲ ଷ୍ଟିଲ ପ୍ଲାଣ୍ଟ ମଧ୍ୟରେ ଏବେ ହଜାରରୁ ଅଧିକ ନାଗରିକ ଆତ୍ମଗୋପନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ଶିଶୁ ରହିଛନ୍ତି । ଦିନ ଦିନ ଧରି ପ୍ଲାଣ୍ଟ ମଧ୍ୟରେ ରହିଥିବା ଏହି ଶିଶୁମାନେ ଏବେ ଅଣନିଶ୍ୱାସୀ ହୋଇପଡିବା ସହିତ ଖାଦ୍ୟ ଏବଂ ପାଣି ଅଭାବରେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଖେଳକୁଦରେ ମଜିରହୁଥିବା ଏହି କୋମଳମତି ଶିଶୁଙ୍କୁ କ୍ଷମତା ଏବଂ ଯୁଦ୍ଧ କନ୍ଦଳର ଅର୍ଥ ଜଣା ନଥିବା ବେଳେ ଏଭଳି ସ୍ଥିତି ସେମାନଙ୍କୁ ବ୍ୟଥିତ କରିବାରେ ଲାଗିଛି । ଆଉ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ହୃଦୟ ତରଳାଇଦେଲାଭଳି କୁନି କୁନି ପିଲାଙ୍କ ଏହି ଭିଡିଓ ବିଶ୍ୱବାସୀଙ୍କୁ ବ୍ୟଥିତ କରିଛି ।
ଷ୍ଟିଲ୍ ପ୍ଲାଣ୍ଟ ବଙ୍କର ଭିତରେ ଫସିଥିବା ଲୋକଙ୍କ ପାଇଁ ଜଣେ ଅଜଣା ବ୍ୟକ୍ତି ଖାଇବାକୁ ନେଇ ଯାଇଥିବା ବେଳେ ଶିଶୁମାନେ ଯାହା କହିଥିଲେ ତାହା ସାରା ବିଶ୍ୱବାସୀଙ୍କୁ ସ୍ତମ୍ଭୀଭୂତ କରି ଦେଇଛି । କୁନି କୁନି ଶିଶୁମାନେ ଅଳିକରି କହିଛନ୍ତି ଆମକୁ ଖେଳନା ଦରକାର ନାହିଁ, ବଂର ଆମେ ସୂର୍ଯ୍ୟ ଦେଖିବାକୁ ଚାହୁଁଛୁ ବୋଲି ସେହି ଅଜଣା ବ୍ୟକ୍ତିଙ୍କୁ କହିଛିନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ସେହି ଭିଡିଓ ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଛି ।