ବଣ୍ଡାଘାଟିର ଯୋଗରାଣୀ ରଶ୍ମିରେଖା । ଘାଟି ମଣିଷଙ୍କୁ ନିରୋଗ ରଖିବା ପାଇଁ ଯୋଗ ଶିବିର କରି ଦେଉଛନ୍ତି ପ୍ରଶିକ୍ଷଣ ।

115

କନକ ବ୍ୟୁରୋ : ବଣ୍ଡାଘାଟିର ଯୋଗରାଣୀ । ଆଦିମ ଜନଜାତିର ଲୋକଙ୍କୁ ବ୍ୟାୟାମ ଶିଖାଇ ଚର୍ଚ୍ଚାରେ ବଣ୍ଡାଘାଟିର ରଶ୍ମିରେଖା ପାଣିଗ୍ରାହୀ । ବଣ୍ଡା ମଣିଷଙ୍କୁ ରୋଗମୁକ୍ତ କରିବା ଲାଗି ବ୍ୟାୟାମ ଶିକ୍ଷା ଦେଉଛନ୍ତି ରଶ୍ମି । ଗତ ୬ ମାସ ଧରି ଘାଟି ଅଞ୍ଚଳର ବିଭିନ୍ନ ଗାଁ ଗଣ୍ଡା ବୁଲି ଲୋକଙ୍କୁ ବ୍ୟାୟାମ ସମ୍ପର୍କରେ ସଚେତନତା କରିବା ସହିତ ଯୋଗାଭ୍ୟାସ କରାଉଛନ୍ତି ।

ବଦଳୁଛି ବଣ୍ଡା ଜନଜାତିଙ୍କ ଜୀବନ ଶୈଳୀ । ବଣ୍ଡାଘାଟର ଯୋଗ ଶିବିର ପରିବର୍ତ୍ତନର ଚିତ୍ରକୁ ସ୍ପଷ୍ଟ କରୁଛି । ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଆଦିମ ଜନଜାତିଙ୍କୁ ଯୋଗ ଶିଖାଉଛନ୍ତି ଯୋଗରାଣୀ ରଶ୍ମିରେଖା ପାଣିଗ୍ରାହୀ । ବଣ୍ଡା ମଣିଷଙ୍କୁ ଯୋଗ ଶିଖାଇବା ଲାଗି ରଶ୍ମିଙ୍କୁ ନିଯୁକ୍ତି ଦେଇଛି ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ପ୍ରତିଦିନ ସକାଳୁ ଘାଟି ଅଂଚଳରେ ଯୋଗ ଶିଖାଉଛନ୍ତି ରଶ୍ମି । ଘାଟି ମଣିଷଙ୍କୁ ସଚେତନ କରି ଯୋଗା ଶିଖାଇବା ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଛି । ତଥାପି ରଶ୍ମି ତାଙ୍କ ଉଦ୍ୟମ ଜାରି ରଖିଛନ୍ତି । ଯୋଗ କଲେ ଦେହ ସୁସ୍ଥ ରହିବ ଜାଣିବା ପରେ ସବୁଦିନ ଯୋଗ ଶିବିରକୁ ଆସୁଛନ୍ତି ଘାଟି ବାସିନ୍ଦା ।

ବଣ୍ଡାଘାଟିର ଦୁର୍ଗମ ଗାଁରେ ଯୋଗ ଶିବିର କରୁଛନ୍ତି ରଶ୍ମି । ପ୍ରତି ଶିବିରରେ ୧୫ରୁ ୨୦ ଜଣ ବଣ୍ଡା ବାସିନ୍ଦା ସାମିଲ ହେଉଛନ୍ତି । ରକ୍ତଚାପ, ମଧୁମେୟ, ହୃଦରୋଗ ନହେବା ଲାଗି ବୟସ୍କ ଲୋକଙ୍କୁ ବୁଝାଇ ବ୍ୟାୟାମ ଶିକ୍ଷାଉଛନ୍ତି ରଶ୍ମି । ତେବେ ଭିତ୍ତିଭୂମୀ ଅଭାବରୁ ମୁଦୁଲିପଡା ଡାକ୍ତରଖାନାରେ ଯୋଗ ତାଲିମ ଦିଆଯାଇ ପାରୁନାହିଁ । ତେଣୁ ଗାଁ ଗାଁ ବୁଲି ଯୋଗ ତାଲିମ ଦେଉଛନ୍ତି ରଶ୍ମି । ଆଗାମୀ ଦିନରେ ମୁଦୁଲିପଡା ଠାରେ ବଣ୍ଡା ମଣିଷଙ୍କୁ ଯୋଗ ଶିକ୍ଷା ଦେବା ପାଇଁ ଯୋଜନା ହେଉଥିବା କହିଛନ୍ତି ଖଇରପୁଟ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ।